ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ବେହେରା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ସହିତ ମାଲକାନଗିରି ଏୟାର ଷ୍ଟ୍ରିପ୍ ସହିତ ଦାନିଗୁଡ଼ାଠାରୁ ସିନ୍ଦ୍ରିମଲ ଗ୍ରାମପଞ୍ଚାୟତସ୍ଥିତ କନ୍ୟାଶ୍ରମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା , କୋରୁକୋଣ୍ଡାସ୍ଥିତ ଗୋଷ୍ଠୀ ଯତ୍ନ କେନ୍ଦ୍ର , କୋରୁକୋଣ୍ଡାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର , ପୂର୍ତ୍ତ ବିଭାଗ ରାସ୍ତାଠାରୁ କୋରୁକୋଣ୍ଡା ତାରେଣୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା , ପୋଟରେଲ୍ ଗ୍ରାମପଞ୍ଚାୟତ ଅଧୀନସ୍ଥ ଚିତପରି ଗ୍ରାମର ଜଳାଶୟ ନିକଟରେ ରାସ୍ତା , ତର୍ଲାକୋଟା ଗ୍ରାମପଞ୍ଚାୟତ ମାର୍କେଟ କମ୍ପେକ୍ସ ଏବଂ ତର୍ଲାକୋଟା ମଡେଲ୍ ଅଙ୍ଗନବାଡ଼ି କେନ୍ଦ୍ର ଆଦି ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖୁବା ସହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ।

ଏଥି ସହିତ ମନ୍ତ୍ରୀ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର ( ଓଏଚପିସି ) ବୁଲି ଦେଖିଥିଲେ । ଇଲେକ୍ଟ୍ରିସିଟି ଉତ୍ପାଦନ ପ୍ଲାଣ୍ଟ ବୁଲି ଦେଖିବା ସହ ଓଏଚପିସି କର୍ପୋରେଟ୍ ସାମାଜିକ ଦାୟିତ୍ବ ଅଧୀନରେ ହାତକୁ ନେଇଥିବା କାର୍ଯ୍ୟ ସାଧାରଣ ଜନତାଙ୍କ ନିକଟରେ କେତେ ପହଞ୍ଚିପାରିଛି ସେ ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତାକାଲି ପୂର୍ବାହ୍ନରେ ମନ୍ତ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହେବ ।

 

Comments are closed.