ମହାରାଷ୍ଟ୍ରରେ ପୁଣି କଡ଼ାକଡ଼ି ହେଲା କୋଭିଡ୍ ନିୟମ, ଆଜିଠୁ ଜନ ସମାବେଶ ଉପରେ କଟକଣା

ମୁମ୍ବାଇ – ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟରେ ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ସ୍ଥିତି ଯେପରି ଅଣାୟତ୍ତ ନ ୁହଏ, ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ପୁଣିଥରେ କୋଭିଡ୍ ଗାଇଡ୍ ଲାଇନ୍ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜିଠୁ ରାଜ୍ୟରେ ସବୁ ପ୍ରକାର ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ସମାବେଶ ବନ୍ଦ ହେବ । ସେହିପରି ମାସ୍କ ପରିଧାନକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଟେଲିଭିଜନ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କୋଭିଡ୍ ନିୟମ ମାନି ରହିବାକୁ ଅନୁରୋଧ କରିଛନ୍ତି । ରାଜ୍ୟରେ କରୋନାର ଆଉ ଏକ ଲହର ଆରମ୍ଭ ହୋଇଛି କି ନାହିଁ ତାହା ଆସନ୍ତା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ଯଦି ଆଗାମୀ କିଛି ଦିନ ମଧ୍ୟରେ କରୋନା ସ୍ଥିତିରେ ସୁଧାର ନ ଆସୁଛି, ତେବେ ପୁଣି ଲକ୍‌ଡାଉନ୍ ଘୋଷଣା କରିବାକୁ ପଡିପାରେ ବୋଲି ଉଦ୍ଧବ କହିଛନ୍ତି ।

ସେପଟେ ରାଜ୍ୟର ଅନ୍ୟତମ ବଡ଼ ସହର ପୁଣେରେ ଆଜିଠୁ ରାତ୍ରିକାଳନୀ କଫ୍ରୁ୍ୟ ଜାରି କରାଯାଇଛି । ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ରାତି ୧୧ଟାରୁ ସକାଳ ୬ଟା ଯାଏଁ ସବୁ ଦୋକାନବଜାର ବନ୍ଦ ରହିବା ସହ ଚଳପ୍ରଚଳକୁ ନିଷିଦ୍ଧ କରାଯାଇଛି । ସେହିପରି ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସହରର ସବୁ ଶିକ୍ଷାନୁଷ୍ଠାନକୁ ଆସନ୍ତା ୨୮ ତାରିଖ ଯାଏଁ ବନ୍ଦ କରାଯାଇଛି ।

ମହାରାଷ୍ଟ୍ରର ବିଦର୍ଭ ଅନ୍ତର୍ଗତ ଆକୋଲା, ଅମରାବତୀ, ୟବତମାଲ, ବୁଲଦାନା, ୱାର୍ଦ୍ଧା ଓ ନାଗପୁର ଆଦି ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ିବା ପଛରେ ରାଜ୍ୟରେ ଠାବ କୋଭିଡ୍‌ର ଏକ ନୂଆ ଷ୍ଟ୍ରେନ ମୁଖ୍ୟ କାରଣ ବୋଲି କୁହାଯାଉଛି ।

Comments are closed.