ମାଓ ଆକ୍ରମଣରେ ୨୨ ଯବାନ ସହିଦ୍‌, ଛତିଶଗଡ଼ ଗଲେ ସିଆରପିଏଫ୍ ଡିଜି

ନୂଆଦିଲ୍ଲୀ – ଛତିଶଗଡ଼ ବିଜାପୁର ଓ ସୁକମା ସୀମାବର୍ତ୍ତୀ ଜଙ୍ଗଲରେ ଶନିବାର ମାଓବାଦୀଙ୍କ ସହ ହୋଇଥିବା ଏନାକାଉଣ୍ଟରେ ସହିଦ ଯବାନଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ଆହୁରି ଜଣେ ଯବାନ ନିଖୋଜ ଅଛନ୍ତି ।

ଗତକାଲି ପ୍ରାୟ ୨୦୦୦ ସୁରକ୍ଷାକର୍ମୀ ବିଜାପୁର-ସୁକମା ସୀମାର ତାରେମ ଜଙ୍ଗଲରେ ମାଓ ବିରୋଧୀ ଅପରେସନ ଆରମ୍ଭ କରିଥିଲେ । ତେବେ ମାଓବାଦୀ ସୁରକ୍ଷା ବାହିନୀଙ୍କୁ ଚାରିପଟୁ ଘେରି ଆକ୍ରମଣ କରିଥିଲେ । ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା । ଏହି ଏନାକଉଣ୍ଟର ପ୍ରାୟ ତିନି ଘଣ୍ଟ ଚାଲିଥିଲା ।
ମାଓ ଆକ୍ରମଣରେ ୨୦ରୁ ଊର୍ଦ୍ଧ୍ୱ ଯବାନ ସହିଦ୍ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମରେ ନିର୍ବାଚନ ପ୍ରଚାର ବାତିଲ କରି ଦିଲ୍ଲୀ ଫେରିଆସିଛନ୍ତି । ସେ ସ୍ଥିତିର ସମୀକ୍ଷା କରିବା ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ କଥା ହୋଇଛନ୍ତି । ସ୍ଥିତିର ଅନୁଧ୍ୟାନ କରିବା ଲାଗି ଶାହ ସିଆରପିଏଫ୍ ଡିଜି କୁଲଦୀପ ସିଂହଙ୍କୁ ଛତିଶଗଡ଼ ପଠାଇଛନ୍ତି । ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ଶାହ କହିଛନ୍ତି ।

ଗତ କିଛି ଦିନ ଧରି ଛତିଶଗଡ଼ରେ ସୁରକ୍ଷା ବାହିନୀ ମୋଷ୍ଟ ୱାଣ୍ଟେଡ୍ ମାଓ କମାଣ୍ଡର ମାଡବି ହିଡମାକୁ ଖୋଜୁଛି । ହିଡମା ୨୦୧୩ରେ ଝିରାମ ଘାଟି ଆକ୍ରମଣ ଠାରୁ ଆରମ୍ଭ କରି ଅନେକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି । ୨୦୧୩ରେ ଝିରାମ ଘାଟିରେ ନକ୍ସଲ ଆକ୍ରମଣରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ପାଞ୍ଚ ଦିନ ତଳେ ଛତିଶଗଡ଼ର ନାରାୟଣପୁର ଜିଳ୍ଲାରେ ଜିଲ୍ଲା ରିଜର୍ଭ ଗାର୍ଡର ଯବାନଙ୍କୁ ନେଇ ଯାଉଥିବା ବସ୍ ଉପରେ ମାଓବାଦୀ ଆକ୍ରମଣ ହୋଇଥିଲା । ଏଥିରେ ପାଞ୍ଚ ଜଣ ଡିଆରଜି ଯବାନ ସହିଦ୍ ହୋଇଥିଲା ବେଳେ ୧୪ ଜଣ ଆହତ ହୋଇଥିଲେ ।

Comments are closed.