ମୁମ୍ବାଇରେ ଟିକାର ଘୋର ଅଭାବ, ବନ୍ଦ ହେଲାଣି ୭୧ ଟିକା କେନ୍ଦ୍ର

ମୁମ୍ବାଇ – କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ଏବେ ଟିକାର ଘୋର ଅଭାବ ଦେଖା ଦେଲାଣି । ଏହି କାରଣରୁ ମୁମ୍ବାଇ ମହାନଗରୀରେ ୭୦ରୁ ଊର୍ଦ୍ଧ୍ୱ ଟିକା କେନ୍ଦ୍ର ବନ୍ଦ ହୋଇଗଲାଣି । ଏପରିକି ସହରର ସବୁଠୁ ବଡ଼ ଟିକାକରଣ କେନ୍ଦ୍ର ‘ବିକେସି’କୁ ମଧ୍ୟ ବନ୍ଦ କରିବାକୁ ପଡିଛି । ଟିକା ନ ପାଇ ଲୋକେ ନିରାଶରେ ଫେରୁଥିବା ଦେଖିବାକୁ ମିଳିଛି । କିଛି ଟିକା କେନ୍ଦ୍ର ଆଗରେ ଲୋକମାନଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

‘ବିକେସି’ ର ଡିନ୍ ରାଜେଶ ଦେରେ କହିଛନ୍ତି ଯେ, ପ୍ରଥମ ଦିନରୁ ଆମର ନିରନ୍ତର ଟିକାକରଣ ଚାଲିଥିଲା । ଆମେ ଗୋଟିଏ ଦିନ ଆଗରୁ ଆବଶ୍ୟକ ମାତ୍ରାରେ ଟିକା ପାଇଯାଉଥିଲୁ । କିନ୍ତୁ ଗତ କାଲିଠାରୁ ଆମ ପାଖକୁ ଆଉ ଟିକା ଆସିନାହିଁ । ଆମ ପାଖରେ ଏବେ ମାତ୍ର ୧୬୦ଟି ଡୋଜ୍ ଅଛି ବୋଲି ସେ କହିଛନ୍ତି ।

ମୁମ୍ବାଇରେ ଲୋକଙ୍କୁ ଟିକା ପ୍ରଦାନ କରିବା ପାଇଁ ୧୨୦ କେନ୍ଦ୍ର ସ୍ଥାପନ କରାଯାଇଛି । ଏଥିମଧ୍ୟରୁ ୭୧ଟି କେନ୍ଦ୍ର ଟିକା ନଥିବା କାରଣରୁ ବନ୍ଦ ରହିଛି । ୧୨୦ ଟିକା କେନ୍ଦ୍ର ମଧ୍ୟରୁ ୪୯ କେନ୍ଦ୍ର ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି) ଅଧୀନରେ ପରିଚାଳିତ ହେଉଛି । ଏହି ଟିକା କେନ୍ଦ୍ର ଗୁଡିକରେ ଦୈନିକ ୪୦ ରୁ ୫୦ ହଜାର ଲୋକଙ୍କ ଟିକାକରଣ ହେଉଛି ।

ଟିକା ଅଭାବ ନେଇ ମହାରାଷ୍ଟ୍ର ସରକାର ଅନେକ ଥର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆବଶ୍ୟକ ପରିମାଣ ଠାରୁ ବହୁ କମ୍ ଟିକା ଆମକୁ ମିଳୁଛି ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଅଭିଯୋଗ କରିଛନ୍ତି । ଟିକା ଆବଣ୍ଟନରେ କେନ୍ଦ୍ର ପାତର ଅନ୍ତର କରୁଛି । ବିଜେପି ଶାସିତ ରାଜ ଗୁଡିକୁ ଅଧିକ ଟିକା ଯୋଗାଣ ହେଉଥିବା ବେଳେ ଅନ୍ୟ ରାଜ୍ୟମାନଙ୍କୁ ଆବଶ୍ୟକତା ଠାରୁ କମ୍ ଟିକା ଦିଆଯାଉଛି ବୋଲି ଟୋପେ ଅଭିଯୋଗ କରିଛନ୍ତି । ତେବେ ମହାରାଷ୍ଟ୍ରର ଏଭଳି ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଖଣ୍ଡନ କରିଛନ୍ତି । ମହାରାଷ୍ଟ୍ର ନିଜ ଦୁର୍ବଳତା ଲୁଚାଇବାକୁ ପାଇଁ କେନ୍ଦ୍ରକୁ ଦାୟୀ କରୁଛି ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି ।

Comments are closed.