ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : କୋରୋନା ଯୁଦ୍ଧରେ ମାସ୍କ ହିଁ ରକ୍ଷା କବଚ, ୧୪ ଦିନ ଯାଏଁ ମାସ୍କ ଅଭିଯାନ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ଦେଶର ବହୁ ରାଜ୍ୟରେ ଲକଡାଉନ, ସଟଡାଉନ,ନାଇଟ କର୍ଫ୍ୟୁ ଆରମ୍ଭ ହେଲାଣି । କିନ୍ତୁ ଆମେ ଯଦି କୋରୋନା ନିୟମ ମାନିବା, ତେବେ ବିନା ଲକଡାଉନରେ ସଂକ୍ରମଣ ରୋକିପାରିବା ବୋଲି ନବୀନ କହିବା ରାଜ୍ୟରେ ଆଜିଠାରୁ ୧୪ ଦିନ ଯାଏଁ ମାସ୍କ ଅଭିଯାନ ଆରମ୍ଭ ହୋଇଛି ବୋଲି ଘୋଷଣା କରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ଠିକ୍ ଭାବେ ମାସ୍କ ପିନ୍ଧିବା, ନାକ ଓ ମୁହଁକୁ କଭର କରି ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ବିନା ମାସ୍କରେ ଘରୁ ନ ବାହାରିଲେ ହିଁ କୋରୋନାକୁ ଜିତିହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ୧ ବର୍ଷରୁ ଅଧିକ ସମୟ ଧରି ବିଶ୍ୱ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି । ମାନବ ଇତିହାସରେ ଏଭଳି ସଂକଟ ନିକଟ ଅତୀତରେ କେବେ ବି ଆସି ନ ଥିଲା । କୋରୋନା ସଂକ୍ରମଣର ପ୍ରଥମ ଲହର ବେଳେ ଜନସାଧାରଣ, ପଂଚାୟତ ପ୍ରତିନିଧି ସହଯୋଗ କରିଥିଲେ । କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ଯୋଗୁଁ ଅନେକ ଜୀବନ ରକ୍ଷା ହୋଇଥିଲା । କୋରୋନା ଯୁଦ୍ଧରେ ମାସ୍କ ହେଉଛି ଆମର ରକ୍ଷା କବଚ । ତେଣୁ ମାସ୍କକୁ ସାଥୀ କରି କୋଭିଡକୁ ହରାଇବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ । ଯେଉଁମାନେ ଟିକା ନେଇଛନ୍ତି ବା ନେଇନାହାନ୍ତି, ସେମାନେ ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରୋଜଗାର ବଂଚାଇବାକୁ, ଜୀବନ ଜୀବିକା ବଂଚାଇବାକୁ ମାସ୍କ ପିନ୍ଧିବାକୁ ହେବ ବୋଲି କହିଛନ୍ତି ନବୀନ । ବାହାରକୁ ଗଲେ ପିଲାମାନଙ୍କୁ ଠିକ୍ ଭାବେ ମାସ୍କ ପିନ୍ଧାଇବାକୁ ମାଆମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ବାହାରେ ଜଗିଛନ୍ତି । ମାଆମାନେ ଘରେ ଜଗନ୍ତୁ । ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ ଲକଡାଉନ ଭଳି ପରିସ୍ଥିତିର ସାମନା କରିବ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.