ମୋଟେରା ପ୍ରସ୍ତୁତ: ଆଜିଠାରୁ ଠାରୁ ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ

ଅହମ୍ମଦାବାଦ୍ – ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଦିବାରାତ୍ର ଟେଷ୍ଟ ଆଜି ଠାରୁ ବିଶ୍ୱର ସର୍ବବୃହତ ଷ୍ଟାଡିୟମ୍ ମୋଟେରାରେ ଆରମ୍ଭ ହେଉଛି । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ସମ୍ପ୍ରତି ୧-୧ ସ୍ଥିତିରେ ରହିଥିବା ବେଳେ ଏହି ଟେଷ୍ଟ ଜିତି ଉଭୟ ଦଳ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟରେ ରହିବେ । ବିଶେଷକରି ଭାରତ ପାଇଁ ଏହି ଟେଷ୍ଟ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସ୍ଥାନ ପକ୍କା କରିିବାକୁ ହେଲେ ଭାରତକୁ ଚଳିତ ସିରିଜର ଅବଶିଷ୍ଟ ଦୁଇଟି ଟେଷ୍ଟରୁ ଗୋଟିଏ ଜିିତିବା ସହ ଅନ୍ୟଟିକୁ ଡ୍ର କରିବା ଜରୁରୀ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୨୨୭ ରନରେ ବିଜୟୀ ହୋଇଥିଲା । ସେହି ଭେନ୍ୟୁରେ ହିଁ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ପୂର୍ବକ ଇଂଲଣ୍ଡକୁ ୩୧୭ ରନରେ ହରାଇ ସିରିଜକୁ ବରାବର ସ୍ଥିତିକୁ ଆଣିଥିଲା ।

ନବୀକରଣ ପରଠୁ ମୋଟେରାରେ ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇଥିବାରୁ ପିଚ୍ କୁ ନେଇ ଭାରତୀୟ ଦଳ ସଂଶୟରେ ରହିଛି । ଏହି ପିଚ୍ କେମିତି ଆଚରଣ କରିବ ତାହା ଜଣାପଡି ନାହିଁ । ତା’ଛଡ଼ା ଏହା ଏକ ଦିବାରାତ୍ର ଟେଷ୍ଟ ହୋଇଥିବାରୁ ଭାରତୀୟ ଦଳର କମ୍ବିନେସନ୍ ବଦଳିପାରେ । ବିଶେଷକରି ବୋଲିଂ ବିଭାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।

ଅହମ୍ମଦବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମ ଭାରତୀୟ କ୍ରିକେଟର ଅନେକ ମାଇଲଖୁଣ୍ଟର ମୂକ ସାକ୍ଷୀ । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ୧୦ ହଜାର ଟେଷ୍ଟ ରନ୍ ଠାରୁ ଆରମ୍ଭ କରି ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ (୮୩/୯) ସହ କପିଳ ଦେବ ଏଠାରେ ନ୍ୟୁଜିଲାଣ୍ଡର ରିଚାର୍ଡ ହାଡଲୀଙ୍କ ସର୍ବାଧିକ ଟେଷ୍ଟ ୱିକେଟ୍ ରେକର୍ଡକୁ ଅତିକ୍ରମ କରିଥିଲେ । ବୁଧବାର ଏଠାରେ ଆଉ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ଦେଖିବେ କ୍ରିକେଟପ୍ରେମୀ । ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଈଶାନ୍ତ ଶର୍ମା କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ । କପିଳ ଦେବଙ୍କ ପରେ ଈଶାନ୍ତ ଏହି ମାଇଲଖୁଣ୍ଟ ଛୁଇଁବାରେ ଭାରତର ଦ୍ୱିତୀୟ ଦ୍ରୁତ ବୋଲର ହେବେ । ଏକ ଲକ୍ଷ ୧୦ ହଜାର କ୍ଷମତା ବିଶିଷ୍ଟ ବିଶ୍ୱର ଏହି ବୃହତ କ୍ରିକେଟ ଷ୍ଟାଡିୟମରେ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ୫୦% ଦର୍ଶକଙ୍କୁ ଅନୁମତି ମିଳିବାକୁ ଥିବାବେଳେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଶତକୀୟ ଇନିଂସର ବି ଆଶା ରହିବ ।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ରିଦ୍ଧିମାନ ଶାହା, ଆର.ଅଶ୍ୱିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ ।
ଇଂଲଣ୍ଡ: ଜୋ ରୁଟ୍ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଡୋମିନିକ୍ ବେସ୍‌, ଷ୍ଟୁଆର୍ଟ ବ୍ରଡ୍‌, ରୋରି ବର୍ନସ୍‌, ଜାକ୍ କ୍ରଲି, ବେନ୍ ଫୋକ୍ସ, ଡାନ୍ ଲରେନ୍ସ, ଜାକ୍ ଲିଚ୍‌, ଓଲି ପୋପ୍‌, ଡମ୍ ସିବ୍‌ଲେ, ବେନ୍ ଷ୍ଟାକ୍ସ, ଓଲି ଷ୍ଟୋନ, କ୍ରିସ୍ ୱକ୍ସ, ମାର୍କ ଉଡ୍ ।

Comments are closed.