ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟର ରୂପରେଖ ସମ୍ପର୍କରେ ରାଜ୍ୟ ପୁର୍ତ୍ତବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇଥିଲା । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ ବୋଲି ଆଶା କରାଯାଏ ।

ଏହି ନୂତନ ବିଶ୍ଵବିଦ୍ୟାଳୟର ଡିଜାଇନ ସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି । ଏଠାରେ ଶାନ୍ତ , ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନର ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀମାନେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାର ବ୍ୟବସ୍ଥା ରହିବ । ଏହି ଡିଜାଇନକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏହାର ନିର୍ମାଣର ବିସ୍ତୃତ ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।

ଉତ୍କଳମଣିଙ୍କର ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସ୍ବାଧୀନତା ସଂଗ୍ରାମ ସମୟର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ । ବକୁଳ ଓ ଛୁରିଆନା ବୃକ୍ଷ ଛାୟାରେ ମୁକ୍ତ ପରିବେଶ ମଧ୍ୟରେ ଏହି ବିଦ୍ୟାଳୟ ଗଢିଉଠିଥିଲା । ଏଥିରେ ଓଡ଼ିଶାର ବହୁ ବିଖ୍ୟାତ ବ୍ୟକ୍ତି ଅଧ୍ୟୟନ କରି ପରବର୍ତ୍ତୀ ସମୟରେ ରାଜ୍ୟର ଗୌରବକୁ ବୃଦ୍ଧି କରିଥିଲେ । ଏହାଥିଲା ଏକ ଆଦର୍ଶ ବିଦ୍ୟାଳୟ । ମଣିଷ ତିଆରି କାରଖାନା । ସ୍ବାଧୀନତା ଯୁଗର ପଞ୍ଚସଖା ଗୋପବନ୍ଧୁ ଦାସ , କୃପାସିନ୍ଧୁ ମିଶ୍ର , ହରିହର ଦାସ , ପଣ୍ଡିତ ନୀଳକଣ୍ଠ ଦାସ ଏବଂ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନମାନଙ୍କ ମାର୍ଗଦର୍ଶନରେ ଦେଶଭକ୍ତି , ସେବା , ପ୍ରଜ୍ଞା ଓ ଜାତୀୟତାର ମହାନ ଶିକ୍ଷାନୁଷ୍ଠାନ ଭାବେ ଏହା ପ୍ରସିଦ୍ଧି ଲାଭ କରିଥିଲା । ସେହି ଐତିହାସିକ ବନ ବିଦ୍ୟାଳୟରେ ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ନିଶ୍ଚିତ ଭାବରେ ଏକ ଅନନ୍ୟ ଉଦ୍ୟମ ।

ଓଡ଼ିଆ ଭାଷା ଷଷ୍ଠ ଭାରତୀୟ ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି । ଓଡ଼ିଆ ଭାଷାର ଅତୀତ ଅତ୍ୟନ୍ତ ସମୃଦ୍ଧ । ଓଡ଼ିଆ ଭାଷାରେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇଛି । ସତ୍ୟବାଦୀ ବନ ବିଦ୍ୟାଳୟରେ ସ୍ଥାପିତ ହେବାକୁ ଯାଉଥିବା ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷାକୁ ବିଶ୍ବସ୍ତରରେ ପ୍ରତିଷ୍ଠିତ କରିବାପାଇଁ ଏକ ଅନନ୍ୟ ସୁଯୋଗ । ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ପର୍କରେ ଉଚ୍ଚତର ଶିକ୍ଷା ପ୍ରଦାନ କରାଯିବା ସହିତ ଆମ ଭାଷା , ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯିବ । ସାରା ଦେଶରେ ଓଡ଼ିଆ ଜାତିର ସ୍ୱତନ୍ତ୍ରତା ଏବଂ ଓଡ଼ିଆ ଭାଷାର ମହନୀୟତା ସମ୍ପର୍କରେ ଏହା ଏକ ଉଦାହରଣ ସୃଷ୍ଟି କରିବ ।

ଏହି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନ ଶକ୍ତିର ପରିପୂର୍ଣ୍ଣ ବିକାଶ ସହିତ ଓଡ଼ିଆ ଭାଷାର ବ୍ୟାକରଣ , ଶବ୍ଦ ଭଣ୍ଡାର , କଥନ , ଲିଖନ ଆଦି ବିଷୟରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବ । ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି . କେ . ପାଣ୍ଡିଆନ ସଞ୍ଚାଳନ କରିଥିଲେ । ଏଥିରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ , ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

Comments are closed.