ରାଜସ୍ଥାନ ପରେ ମଧ୍ୟପ୍ରଦେଶରେ ୧୦୦ ଛୁଇଁଲା ପେଟ୍ରୋଲ ଦର

ନୂଆଦିଲ୍ଲୀ – ତେଲ ଦରରେ ଲାଗିଛି ନିଆଁ । କ୍ରମାଗତ ଦଶମ ଦିନ ପାଇଁ ଦେଶରେ ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ଘଟିଛି । ରେକର୍ଡ ସ୍ତରରେ ପହଞ୍ଚିଛି ତେଲ ଦର । ଦେଶର ବିଭିନ୍ନ ସ୍ଥାନରେ ଏବେ ପେଟ୍ରୋଲ ଦର ତିନିଅଙ୍କ ଛୁଇଁଛି ।

ଦେଶରେ ପ୍ରଥମେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ୧୦୦ ଛୁଇଁଥିଲା । ଶ୍ରୀଗଙ୍ଗାନଗର ପରେ ଏବେ ମଧ୍ୟପ୍ରଦେଶରେ ବି ପେଟ୍ରୋଲ ସେଞ୍ଚରି ମାରିଛି । ଗୁରୁବାର ମଧ୍ୟପ୍ରଦେଶର ଅନପପୁରରେ ପେଟ୍ରୋଲ ଦାମ୍ ୧୦୦ ଟପିଛି ।

ଆଜି ଲଗାତର ଦଶମ ଦିନ ପାଇଁ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପେଟ୍ରୋଲ ଲିଟର ପିଛା ୩୪ ପଇସା ଓ ଡିଜେଲ ୨୩ ପଇସା ବୃଦ୍ଧି କରିଛନ୍ତି । ଏଥିସହ ମଧ୍ୟପ୍ରଦେଶର ଅନୁପପୁରରେ ସ୍ଥାନୀୟ ଟିକସକୁ ମିଶାଇ ପେଟ୍ରୋଲ ଦର ଲିଟର ପିଛା ୧୦୦.୨୫ ଟଙ୍କା ହୋଇଛି । ଏହାଛଡ଼ା ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ଅଧିକ ଟିକସଯୁକ୍ତ ବ୍ରାଣ୍ଡେଡ୍ ପଟ୍ରୋଲର ମୂଲ୍ୟ ବି ବଢ଼ିଛି । ଏହି ସବୁ ରାଜ୍ୟରେ ବ୍ରାଣ୍ଡେଡ୍ ପଟ୍ରୋଲ୍ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ପେଟ୍ରୋଲ-ଡିଜେଲ ଉପରେ ରାଜସ୍ଥାନ ସବୁଠୁ ଅଧିକ କର (ଭ୍ୟାଟ୍‌) ଆଦାୟ କରୁଛି । ଏହାପରେ ମଧ୍ୟ ପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି ।

ଗୁରୁବାର ପୁଣି ତେଲଦର ବଢ଼ିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୯.୮୮ ଟଙ୍କା ଏବଂ ଡିଜେଲ ୮୦.୨୭ ଟଙ୍କା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୬.୩୨ଟଙ୍କା ହୋଇଥିବା ବେଳେ ଲିଟର ପିଛା ଡିଜେଲ ଦର ୮୭.୩୨ଟଙ୍କାକୁ ବୃଦ୍ଧି ପାଇଛି ।

Comments are closed.