ରାଜ୍ୟରେ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିବ ଅନୁକଂପା ସହାୟତା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସହିଦ ହୋଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ଅନୁକଂପା ସହାୟତା ଯୋଗାଇ ଦେବେ । ରାଜ୍ୟରେ କୋଭିଡ ପରିଚାଳନା ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଗତ ୮ ମାସ ଧରି କୋଭିଡ ବିରୋଧରେ ଚାଲିଥିବା ଲଢେଇରେ କୋଭିଡ ଯୋଦ୍ଧାଙ୍କ ନିଷ୍ଠାର ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ସ୍ମରଣଯୋଗ୍ୟ ଯେ, କୋଭିଡ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ସେ ଅନୁସାରେ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ସମୟରେ ସହିଦ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କୁ ପଠାଇ ଦେଇଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ପୁଣି ଥରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତମାନ କୋଭିଡ ପ୍ରୋଟକଲକୁ ଅଧିକ ଷ୍ଟାଣ୍ଡାର୍ଡାଇଜଡ୍ କରାଯାଇଛି । ତେଣୁ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କର ସ୍ୱାସ୍ଥ୍ୟର ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତମାନ ୭୮ ପ୍ରତିଶତ ରୋଗୀ ଗୃହ ସଂଗରୋଧରେ ଅଛନ୍ତି । ଗୃହ ସଂଗରୋଧରେ ଥିବା ରୋଗୀ ଓ କୋଭିଡ ହସପିଟାଲରେ ଥିବା ରୋଗୀମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସିଧାସଳଖ ଯୋଗାଯୋଗ କରି ସେମାନଙ୍କ ଭଲ ମନ୍ଦ ପଚାରି ବୁଝିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । ଆଂଟି ଭାଇରାଲ୍ ଔଷଧ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବର୍ତମାନ ରାଜ୍ୟରେ କୋରୋନାରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଆରୋଗ୍ୟ ହାର ୮୫ ପ୍ରତିଶତ ଥିବା ବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯ ପ୍ରତିଶତ ରହିଛି । ରାଜ୍ୟରେ ଗତ ୮ ମାସ ମଧ୍ୟରେ ୩୬ ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ଏଥିମଧ୍ୟରୁ ୬ ଦଶମିକ ୭୫ ପ୍ରତିଶତ ପଜିଟିଭ କେସ୍ ବାହାରିଛି । ଆଗକୁ ପୂଜା ଋତୁ ଆସୁଥିବାରୁ ଅଧିକ ସତର୍କ ରହିବା ସହ କୋଭିଡ ନିୟମାବଳୀ ଏବଂ ଔଷଧସେବନ ବାବଦରେ ନିୟମିତ ସଚେତନତା ଅଭିଯାନ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । ପୋଲିସ କର୍ମଚାରୀମାନେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ।

ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ, କଟକ, ପୁରୀ ଓ ଭୁବନେଶ୍ୱରରେ ଏକ ଲକ୍ଷ ଆଂଟି ଭାଇରାଲ ମେଡିସିନ ଦିଆଯାଇଛି । ଡାକ୍ତରଙ୍କ ତତ୍ୱାବଧାନରେ ଏହା ରୋଗୀମାନଙ୍କୁ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ମୃତ୍ୟୁହାର ଶୂନ ଦଶମିକ ୪ ପ୍ରତିଶତ ରହିଛି, ଯାହା କି ଭାରତର ସବୁ ବଡରାଜ୍ୟମାନଙ୍କ ମଧ୍ୟରେ ସର୍ବୋତମ ସୂଚକାଙ୍କ । ସୁସ୍ଥତା ହାରରେ ମଧ୍ୟ ଓଡିଶା ଦେଶରେ ଷଷ୍ଠ ସ୍ଥାନରେ ରହିଛି ବୋଲି ସେ ସୂଚନା ଦେଇଥିଲେ ।

Comments are closed.