ରାତିରେ ଟ୍ରେନରେ ମୋବାଇଲ ଚାର୍ଜ କରିପାରିବେନି ଯାତ୍ରୀ, ରେଳବାଇ ଜାରି କଲା ନିଷେଧାଦେଶ

ନୂଆଦିଲ୍ଲୀ – ଯାତ୍ରୀ ଏଣିକି ରାତିରେ ଟ୍ରେନରେ ନିଜ ମୋବାଇଲ ଫୋନ୍ ଚାର୍ଜ କରିପାରିବେ ନାହିଁ । ରେଳବାଇ ତରଫରୁ ଏନେଇ କଟକଣା ଜାରି କରାଯାଇଛି । ସର୍ଟ ସର୍କିଟ୍ ଜନିତ ଅଗ୍ନିକାଣ୍ଡ ଘଟଣା ଏଡାଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଟ୍ରେନରେ ମୋବାଇଲ ଫୋନ୍ ଚାର୍ଜିଂ ନିଷେଧ କରାଯାଇଛି ।

ପଶ୍ଚିମ ରେଳବାଇ ତରଫରୁ ମାର୍ଚ୍ଚ ୧୬ରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ପଶ୍ଚିମ ରେଳବାଇ ଅଧୀନ ଚଳାଚଳ କରୁଥିବା ସବୁ ଟ୍ରେନର ଚାର୍ଜିଂ ପଏଣ୍ଟରୁ ରାତି ସମୟରେ ବିଦ୍ୟୁତ ସରବରାହ ବନ୍ଦ କରାଯାଉଛି ।
ଦେଶର ସବୁ ଜୋନ୍ ପାଇଁ ରାତିରେ ମୋବାଇଲ ଚାର୍ଜିଂ ନିଷେଧ କରିବାକୁ ରେଳବାଇ ବୋର୍ଡ ନିର୍ଦ୍ଦେଶ ଜାରି କରିଛି । ଦକ୍ଷିଣ ରେଳବାଇର ସିପିଆରଓ ବି.ଗଗାନେଶନ କହିଛନ୍ତି ଯେ, ଏଭଳି ନିର୍ଦ୍ଦେଶ କିଛି ନୂଆ କଥା ନୁହେଁ । ଆଗରୁ ବି ଏମିତି ନିର୍ଦ୍ଦେଶ ଦିଆଯାଇଛି ।

୨୦୧୪ରେ ରେଳବାଇ ନିରାପତ୍ତା କମିଶନର ରାତି ୧୧ରୁ ସକାଳ ୫ଟା ପର୍ଯ୍ୟନ୍ତ ସବୁ ଚାର୍ଜିଂ ପଏଣ୍ଟ୍ ବନ୍ଦ କରିବାକୁ ସୁପାରିସ କରିଥିଲେ । ବାଙ୍ଗାଲୋର-ହାଜୁର ସାହିବ ନାନ୍ଦେଡ୍ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା ପରେ ଏଭଳି ପଦକ୍ଷେପ ନେବାକୁ ସୁପାରିସ କରାଯାଇଥିଲା । ରେଳବାଇ ବୋର୍ଡ ମଧ୍ୟ ସବୁ ଜୋନ୍‌କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କହିଥିଲା ।

Comments are closed.