ମୋଦିଙ୍କୁ ଇମ୍ରାନ ଖାନଙ୍କ ଚିଠି, କହିଲେ ଭାରତ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ଚାହୁଁଛି ପାକିସ୍ତାନ

ଇସଲାମାବାଦ – ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଜାମ୍ମୁ କାଶ୍ମୀର ସମେତ ଦୁଇ ଦେଶ ମଧ୍ୟରେ ସମସ୍ତ ବିବାଦର ସମାଧାନ ସକାଶେ ଗଠନମୂଳକ ତଥା ଫଳପ୍ରଦ ଆଲୋଚନା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଆବଶ୍ୟକ ବୋଲି କହିଛନ୍ତି।

ଗତ ସପ୍ତାହରେ ପାକିସ୍ତାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପଠାଇଥିବା ଅଭିନନ୍ଦନ ବାର୍ତ୍ତାର ଉତ୍ତରରେ ଖାନ ଏହି ଚିଠି ଲେଖିଛନ୍ତି।

ମୋଦୀ ତାଙ୍କ ଚିଠିରେ କହିଥିଲେ ଯେ ପାକିସ୍ତାନ ସହ ଭାରତ ଆନ୍ତରିକ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି, କିନ୍ତୁ ଏଥିପାଇଁ ଆତଙ୍କ ଏବଂ ଘୃଣାମୁକ୍ତ ପରିବେଶ ଜରୁରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠିର ଉତ୍ତରରେ ଖାନ ତାଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ପାକିସ୍ତାନର ଲୋକମାନେ ଭାରତ ସମେତ ସମସ୍ତ ପଡୋଶୀ ଦେଶ ସହ ଶାନ୍ତିପୂର୍ଣ୍ଣ ସହଯୋଗ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି।

ଆତଙ୍କମୁକ୍ତ ପରିବେଶ ଉପରେ ଖାନ କହିଛନ୍ତି ଯେ କାଶ୍ମୀର ଭଳି ସମସ୍ତ ସମସ୍ୟାର ସମାଧାନ ହେଲେ ହିଁ ଶାନ୍ତି ସମ୍ଭବ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ୨୯ ମାର୍ଚ୍ଚରେ ଲେଖିଥିବା ଚିଠିରେ କହିଛନ୍ତି, ଆମେ ସ୍ବୀକାର କରୁଛୁ ଯେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଜାମ୍ମୁ କାଶ୍ମୀର ବିବାଦ ଭଳି ସବୁ
ବିବାଦର ସମାଧାନ ଉପରେ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ନିର୍ଭରଶୀଳ ।

ଖାନ କହିଛନ୍ତି ଯେ ଗଠନ ମୂଳକ ଏବଂ ଫଳାଫଳ-ଆଧାରିତ ଆଲୋଚନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଆବଶ୍ୟକ | କୋଭିଡ -୧୯ ବିରୋଧରେ ଲଢେଇରେ ସେ ଭାରତର ଲୋକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଭାରତ ପ୍ରତି ଶାନ୍ତିର ହାତ ବଢ଼େଇ କହିଥିଲେ ଯେ ଉଭୟ ପଡୋଶୀ ଦେଶ ଅତୀତକୁ ଭୁଲି ଆଗକୁ ବଢିବାର ସମୟ ଆସିଛି।

Comments are closed.