ରାଫେଲ ଡିଲ୍ ବିରୋଧରେ ସୁପ୍ରିମକୋର୍ଟରେ ପୁଣି ପିଟିସନ, ଦୁଇ ସପ୍ତାହ ପରେ ହେବ ଶୁଣାଣି

ନୂଆଦିଲ୍ଲୀ – ରାଫେଲ ଡିଲ୍ ବିରୋଧରେ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନର ଦାୟର କରାଯାଇଛି । ଦୁଇ ସପ୍ତାହ ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ ।ଆବେଦନକାରୀ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ଫ୍ରାନ୍ସର ଏକ ପୋର୍ଟାଲ ନୂଆ ଖୁଲାସା କରିବା ପରେ ରାଫେଲ ଡିଲର ନିରପେକ୍ଷ ତଦନ୍ତ ପାଇଁ ଏକ ପିଟିସନ ସୁପ୍ରିମକୋର୍ଟରେ ଦାୟର କରାଯାଇଛି।
ଏହି ଆବେଦନରେ ରାଫେଲ୍ ଡିଲ୍ ବାତିଲ କରିବା ଏବଂ ଜରିମାନା ସହିତ ଏଥିରେ ଖର୍ଚ୍ଚ ହୋଇଥିବା ସମୁଦାୟ ରାଶି ଫେରସ୍ତ ପାଇଁ ଦାବି ହୋଇଛି। ଏଥିସହ ଏହି ମାମଲାର କୋର୍ଟଙ୍କ ତତ୍ତ୍ଵାବଧାନରେ ଏକ ନିରପେକ୍ଷ ତଦନ୍ତ ନିବେଦନ କରାଯାଇଛି । ଫ୍ରାନ୍ସର ଏକ ପୋର୍ଟାଲ ଦାବି କରିଛି ଯେ ରାଫେଲ ଡିଲ ପାଇଁ ମଧ୍ୟସ୍ଥଙ୍କୁ ଏକ ମିଲିୟନ ୟୁରୋ ଲାଞ୍ଚ ଦିଆଯାଇଛି। ତେବେ ରାଫେଲର ନିର୍ମାତା ‘ଡାସଲ୍ଟ’ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦୧୮ରେ ବି ସୁପ୍ରିମକୋର୍ଟ ଏନେଇ ସମାନ ଦାବି ସମ୍ବଳିତ ଏକ ଜନସ୍ୱାର୍ଥ ଆବେଦନକୁ ଖାରଜ କରି ଦେଇଥିଲେ। ନଭେମ୍ବର ୨୦୧୯ରେ ପୁନର୍ବିଚାର ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା।
ଓକିଲ ମନୋହର ଲାଲ ଶର୍ମା ରାଫେଲ ଡିଲ୍ ବିରୋଧରେ ସଦ୍ୟତମ ଆବେଦନ କରିଛନ୍ତି । ଏହି ଆବେଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଏବଂ ସିବିଆଇକୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

Comments are closed.