ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ – ଏପ୍ରିଲ ୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‌-୧୪ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି । ଆହତ ଶ୍ରେୟାସ ଆୟରଙ୍କ ଅନୁପସ୍ଥିିତିରେ ପନ୍ତ ଆଗାମୀ ସିଜନରେ ଦିଲ୍ଲୀର ନେତୃତ୍ୱ ନେବେ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆୟର ଫିଲ୍ଡିଂ କଲାବେଳେ ଆହତ ହୋଇଥିଲେ । ଆୟର ଚାରି ମାସ କ୍ରିକେଟରୁ ଦୂରେଇ ରହିବେ ।

ପନ୍ତ ଅଧିନାୟକ ଭାବେ ଆଇପିଏଲରେ ଡେବ୍ୟୁ କରିବେ । ଏହି ୨୩ ବର୍ଷୀୟ ୱିକେଟକିପର ପୂର୍ବରୁ ଦିଲ୍ଲୀ ରଣଜୀ ଟିମର ନେତୃତ୍ୱ ନେଇଛନ୍ତି । ଆଇପିଏଲରେ ଦିଲ୍ଲୀର ଏହାର ଅଭିଯାନ ଏପ୍ରିଲ ୧୦ରେ ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷରେ ଆରମ୍ଭ କରିବ । ଏହି ମ୍ୟାଚ୍ ମୁମ୍ବାଇରେ ଖେଳାଯିବ ।

ପନ୍ତ ଚମତ୍କାର ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ଶେଷ ଦୁଇ ଦିନିକିଆରେ ପନ୍ତ ଯଥାକ୍ରମେ ୭୭ ଓ ୭୮ ରନର ବିସ୍ଫୋରକ ପାଳି ଖେଳିଥିଲେ । ଭାରତ ଏହି ସିରିଜ ୨-୧ରେ ଜିତିଥିଲା ।
ଦିଲ୍ଲୀର ନେତୃତ୍ୱ ଦାୟିତ୍ୱ ମିଳିବା ପରେ ପନ୍ତ ଉତ୍ସାହିତ ହୋଇପଡିଛନ୍ତି । ଦିଲ୍ଲୀରେ ସେ ବଢିଛନ୍ତି । ଏଠାରୁ ହିଁ ମୋର ଆଇପିଏଲ ଯାତ୍ରା ୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଏହି ଦଳର ନେତୃତ୍ୱ ନେବା ମୋର ସ୍ୱପ୍ନ ଥିଲା । ଆଜି ଏହି ସ୍ୱପ୍ନ ସାକାର ହୋଇଛି । ଏଥିପାଇଁ ଟିମ୍ ମାଲିକଙ୍କ ନିକଟରେ ମୁଁ କୃତଜ୍ଞ । ଅଭିଜ୍ଞ କୋଚ୍ ଓ ଦକ୍ଷ ସିନିୟର ଖେଳାଳିଙ୍କ ଉପସ୍ଥିତିରେ ମୁଁ ଦିଲ୍ଲୀ ପାଇଁ ଯଥାସମ୍ଭବ ଶ୍ରେଷ୍ଠ ପ୍ରଦର୍ଶନ କରିବି ବୋଲି ପନ୍ତ କହିଛନ୍ତି ।

Comments are closed.