ସୁନ୍ଦରଗଡ଼ରେ ଦ୍ବିତୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ଓଡ଼ିଶାର ଭୁବନେଶ୍ବର ଠାରେ ଏବେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ କେନ୍ଦ୍ର କାର୍ଯ୍ୟକ୍ଷମ ଥିବାବେଳେ ଏବେ ଏହା ମେଡ଼ିକାଲ ପାଠ୍ୟକ୍ରମ ପ୍ରଦାନ ଓ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଦେଶର ଅଗ୍ରଣୀ ଅନୁଷ୍ଠାନ ଅଟେ । ଏହାଦ୍ୱାରା କେବଳ ରାଜ୍ୟର ଜନ ସାଧାରଣ ଯେ ଚିକିତ୍ସା ସେବା ପାଇପାରୁଛନ୍ତି ତାହା ନୁହେଁ , ପଡୋଶି ରାଜ୍ୟର ଜନସାଧାରଣ ମଧ୍ୟ ଚିକିତ୍ସା ସେବା ପାଇ ପାରୁଛନ୍ତି ।

ଏଇ ନିକଟରେ ବିହାରରେ ଦ୍ବିତୀୟ ଏଆଇଆଇଏମ୍ଏସ୍‌ର ପ୍ରତିଷ୍ଠା ହୋଇଥିବା ବେଳେ ଅନ୍ୟ ରାଜ୍ୟରେ ଏଆଇଆଇଏମ୍ଏସ୍‌ର ଦ୍ବିତୀୟ ଶାଖା ଖୋଲାଯିବା ପାଇଁ ଭାରତ ସରକାରଙ୍କ ନିକଟରେ ପ୍ରସ୍ତାବ ବିଚାରଧିନ ରହିଛି । ଓଡ଼ିଶାର ପଶ୍ଚିମାଂଚଳ ଏକ ଜନବହୁଳ ଅଂଚଳ ହୋଇଥିବାବେଳେ , ଏବେ ସୁନ୍ଦରଗଡ଼ ଠାରେ ଏଆଇଆଇଏମଏସ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଉପସ୍ଥାପିତ ହେଉଛି ।

ଅନ୍ୟ ପକ୍ଷରେ ସୁନ୍ଦରଗଡ଼ଠାରେ ଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପାଇଁ ଭିତିଭୂମି ପ୍ରସ୍ତୁତ ଅଛି ।

କର୍ପୋରେଟ ସୋସିଆଲ ରେସ୍‌ପନସିବିଲିଟି ମାଧ୍ୟମରେ ରାଜ୍ୟ ସରକାର ଓ ଜାତୀୟ ତାପଜ ଶକ୍ତି କର୍ପୋରେସନ ମଧ୍ୟରେ ସୁନ୍ଦରଗଡ଼ଠାରେ ଏକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ଏବେ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବା ବେଳେ , ଏଥିପାଇଁ ବିଭିନ୍ନ ଯନ୍ତ୍ରାଶଂ କ୍ରୟ ଚାଲିଛି । ଏହି ହସ୍ପିଟାଲଟିରେ ୫୦୦ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ଥିବାବେଳେ ପ୍ରତିବର୍ଷ ୧୦୦ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ପାଠ ପଢ଼ିବାର ସୁବିଧା ମଧ୍ୟ ରହିଛି ।

ଓଡ଼ିଶାରେ ଦ୍ବିତୀୟ ଏଆଇଆଇଏମଏସ୍ ପ୍ରତିଷ୍ଠା ପାଇଁ ଏହି ଭିତିଭୂମି ବ୍ୟବହାର ହୋଇ ପାରିବ ଯାହାଫଳରେ କି ଜନବହୁଳ ପଶ୍ଚିମ ଓଡ଼ିଶାର ଜନସାଧାରଣ ନିଜ ଅଂଚଳରେ ଉନ୍ନତମାନର ଚିକିତ୍ସା ସେବା ପାଇ ପାରିବେ । ଏଠାକୁ ସଡ଼କପଥ , ରେଳ ଯୋଗାଯୋଗ ସୁବିଧା ଥିବାବେଳେ , ନିକଟବର୍ତ୍ତି ଝାରସୁଗୁଡ଼ାକୁ ମଧ୍ୟ ବିମାନ ଚଳାଚଳର ସୁବିଧା ରହିଛି । ତେଣୁ , ଏହିସବୁ ସୁବିଧାକୁ ଆଖି ଆଗରେ ରଖି ସୁନ୍ଦରଗଡ଼ ଠାରେ ଏଆଇଆଇଏମଏସ୍‌ର ଦ୍ବିତୀୟ ଶାଖା ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Comments are closed.