ରୂପ ବଦଳାଉଛି କରୋନା, ଜାପାନରୁ ମିଳିଲା ଆଉ ଏକ ଭିନ୍ନ ଷ୍ଟ୍ରେନ୍‌

ଟୋକିଓ – କରୋନା ଭାଇରସ ଏବେ କ୍ରମାଗତ ଭାବେ ମ୍ୟୁଟେଟ୍ ହେବାରେ ଲାଗିଛି । ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରେ କରୋନାର ଦୁଇ ଭିନ୍ନ ଷ୍ଟ୍ରେନ୍ ମିଳିବା ପରେ ଏବେ ଜାପାନରେ ଏହି ଭୂତାଣରୁ ଆଉ ଏକ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ବ୍ରାଜିଲରୁ ଜାପାନ ଆସିଥିବା ଲୋକଙ୍କ ଠାରେ ଏହି ନୂଆ ଷ୍ଟ୍ରେନ୍ ମିଳିଥିବା ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ବ୍ରିଟେନ୍ ଭୂତାଣୁ ପରି ଏହି ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ କି ନୁହେଁ ତାହା ଯାଞ୍ଚ୍ କରାଯାଉଛି ବୋଲି ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଅନ୍ୟପକ୍ଷେ ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଜାପାନରେ ମିଳିଥିବା ନୂଆ କରୋନା ଷ୍ଟ୍ରେନର ୧୨ ମ୍ୟୁଟେସନ୍ ରହିଛି । ଏଥିମଧ୍ୟରୁ ଗୋଟିଏ ବ୍ରିଟେନ ଓ ଦକ୍ଷିଣ ଆଫ୍ରିିକା ଷ୍ଟ୍ରେନ୍ ସହ ମେଳ ଖାଉଛି । ତେଣୁ ଜାପାନରେ ମିଳିଥିବା ନୂଆ ଷ୍ଟ୍ରେନ୍ ମଧ୍ୟ ବ୍ରିଟେନରେ ଚିହ୍ନଟ ହୋଇଥିବା ଷ୍ଟ୍ରେନ୍ ଭଳି ଅଧ୍ଚଳ ସଂକ୍ରାମକ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

ଜାପାନକୁ ଆସିଥିବା ବ୍ରାଜିଲ ପର୍ଯ୍ୟଟକଙ୍କ ଠାରେ ଯେଉଁ ନୂଆ ଷ୍ଟ୍ରେନ୍ ମିଳିଛି ତାହା ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ଯାଞ୍ଚ୍ ବେଳେ ୪୦ ବର୍ଷୀୟ ଜଣେ ବ୍ୟକ୍ତି ଓ ତାଙ୍କର ପତ୍ନୀ ଓ ପିଲା ଠାରେ କରୋନାର ଏହି ଭିନ୍ନ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ଉକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା । କିନ୍ତୁ ପରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପତ୍ନୀ ମୁଣ୍ଡବିନ୍ଧା ନେଇ ଅଭିଯୋଗ କରିଥିଲ ବେଳେ ସେମାନଙ୍କ ପୁଅକୁ ଜ୍ୱର ହୋଇଥିଲା । ତେବେ ଏହି ଦମ୍ପତିଙ୍କ ଝିଅ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଓ ଅନ୍ୟ ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ମିଶି ଜାପାନ କରୋନାର ନୂଆ ଷ୍ଟ୍ରେନ୍ ଉପରେ ଅଧିକ ଗବେଷଣା ଜାରି ରଖିଛି ।

Comments are closed.