ଲକଡାଉନରେ ଭାରତୀୟ ଧନୀଙ୍କ ସମ୍ପତ୍ତି ୩୫% ବଢ଼ିଛି

ନୂଆଦିଲ୍ଲୀ – ଦାରିଦ୍ର୍ୟ ଦୂରୀକରଣ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ଅକ୍ସଫାମ କହିଛି ଯେ କରୋନା ଭାଇରସ ମହାମାରୀ କାରଣରୁ ଦେଶବ୍ୟାପୀ ଲଗାଯାଇଥିବା ଲକଡାଉନ୍ ସମୟରେ ଭାରତରେ ଧନୀ ଲୋକଙ୍କ ସମ୍ପତ୍ତି ୩୫% ବୃଦ୍ଧି ପାଇଥିଲା । ଅନ୍ୟପକ୍ଷେ ଏହି ସମୟରେ କୋଟି କୋଟି ଲୋକ ଜୀବିକା ହରାଇଥିଲେ ।

ଅକ୍ସଫାମର ରିପୋର୍ଟ ‘ଇନଇକ୍ବାଲିଟି ଭାଇରସ’ ଅନୁଯାୟୀ, ମାର୍ଚ୍ଚ ୨୦୨୦ ପରେ ଭାରତରେ ୧୦୦ ଅରବପତିଙ୍କ ସମ୍ପତ୍ତି ୧୨,୯୭,୮୨୨ କୋଟି ଟଙ୍କା ବୃଦ୍ଧି ପାଇଛି। ଯଦି ଏହି ରାଶି ଦେଶର ୧୩.୮ କୋଟି ଗରିବ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଏ, ତେବେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୯୪,୦୪୫ ଟଙ୍କା ଦିଆଯାଇପାରିବ ।
ରିପୋର୍ଟରେ ଆୟର ଅସମାନତା ବିଷୟରେ ଉଲ୍ଲେଖ କରାଯାଇ କୁହାଯାଇଛି ଯେ ମୁକେଶ ଅମ୍ବାନୀ ଏକ ଘଣ୍ଟା ମଧ୍ୟରେ ଯେତିକି ଆୟ କରୁଛନ୍ତି, ସେତିକି ପରିମାଣର ଅର୍ଥ ଆୟ କରିବାକୁ ଜଣେ ଅଣକୁଶଳୀ ଶ୍ରମିକଙ୍କୁ ଦଶ ହଜାର ବର୍ଷ ଲାଗିବ। କରୋନା ମହାମାରୀ ସମୟରେ ମୁକେଶ ଅମ୍ବାନୀ ଘଣ୍ଟାକୁ ୯୦ କୋଟି ଆୟ କରୁଥିଲେ । ରିପୋର୍ଟ ଅନୁଯାୟୀ, ଗତ ଶହେ ବର୍ଷରେ କରୋନା ମହାମାରୀ ହେଉଛି ସବୁଠାରୁ ବଡ ସ୍ୱାସ୍ଥ୍ୟ ସଙ୍କଟ ଏବଂ ଏହା ୧୯୩୦ ମସିହାର ମହା ମାନ୍ଦାବସ୍ଥା ପରେ ସବୁଠାରୁ ବଡ ଆର୍ଥିକ ସଙ୍କଟ ସୃଷ୍ଟି କରିଛି।

ଅକ୍ସଫାମ ସିଇଓ ଅମିତାଭ ବେହେର କହିଛନ୍ତି, ଏହି ରିପୋର୍ଟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଧନୀମାନଙ୍କୁ ସୁହାଇଲା ଭଳି ଅର୍ଥନୈତିକ ବ୍ୟବସ୍ଥା ଯୋଗୁଁ ସବୁଠାରୁ ବଡ ଅର୍ଥନୈତିକ ସଙ୍କଟ ସମୟରେ ଧନୀ ଲୋକମାନେ ଅଧିକ ଧନ ଅର୍ଜନ କରିଥିଲା ବେଳେ ଲକ୍ଷ ଲକ୍ଷ ଲୋକ ବହୁତ କଷ୍ଟଦାୟକ ସମୟ ଦେଇ ଗତି କରିଥିଲେ।

Comments are closed.