ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି, ଦିଲ୍ଲୀ ଏମ୍ସକୁ ନିଆଯିବ

ରାଞ୍ଚି – ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା ଭୋଗୁଥିବା ଲାଲୁ ଯାଦବଙ୍କୁ ବର୍ତ୍ତମାନ ରାଞ୍ଚିର ରିମ୍ସରେ ଭର୍ତ୍ତି କରାଯାଇଛି। ତେବେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସକୁ ନେବା ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ୮ ଜଣିଆ ମେଡିକାଲ ବୋର୍ଡ ଗଠନ କରାଯାଇଛି। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ଅଛନ୍ତି। ରିପୋର୍ଟ ଦେଖିବା ପରେ ମେଡିକାଲ ବୋର୍ଡ ଲାଲୁଙ୍କୁ ଦିଲ୍ଲୀ ଏମ୍ସ ପଠାଇବାକୁ ପରାମର୍ଶ ଦେଇଛି। ଆଜି ଅପରାହ୍ନ ୫ଟାରେ ତାଙ୍କୁ ଚାର୍ଟାର୍ଡ ​​ବିମାନ (ଏୟାର ଆମ୍ବୁଲାନ୍ସ) ଯୋଗେ ଦିଲ୍ଲୀ ଅଣାଯିବ।

ଲାଲୁ ଯାଦବଙ୍କ ମୁଖ୍ୟ ଚିକିତ୍ସକ ଡାକ୍ତର ଉମେଶ ପ୍ରସାଦ କହିଛନ୍ତି ଯେ ଲାଲୁ ଯାଦବଙ୍କୁ ଆଜି ସନ୍ଧ୍ୟାରେ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସକୁ ପଠାଯିବ। ଆଜିିଲାଲୁଙ୍କ ପୁଅ ତେଜ ପ୍ରତାପ ଯାଦବ ଏବଂ ତେଜସ୍ୱୀ ଯାଦବ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି।

ରିମ୍ସ ଦ୍ୱାରା ଗଠିତ ଏହି ବୋର୍ଡରେ ହୃଦ୍‌ରୋଗ ବିଭାଗର ମୁଖ୍ୟ ଡକ୍ଟର ହେମନ୍ତ ନାରାୟଣ, ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରୟା ପନ୍ତ ଘୋଷ, ଏଲ.ବି ମାଝି, ଅର୍ଥୋପେଡିକ୍ ଡାକ୍ତର ସୁରେଶ ଟପ୍ପୋ, ରେଡିଓଲୋଜି ଡକ୍ଟର ବି.ଭି ସିହ୍ନା, ଚକ୍ଷୁ ବିଭାଗର ଡ଼କ୍ଟର ଆର.ଜି. ବାଖଲା, ସର୍ଜରୀ ବିଭାଗର ଡକ୍ଟର ଜେ.କେ ମିତ୍ର ଏବଂ ୟୁରୋଲୋଜି ବିଭାଗର ମୁଖ୍ୟ ଡକ୍ଟର ଆର୍ଶାଦ ଜମାଲ। ହସ୍ପିଟାଲ ସୂତ୍ରରୁ ପ୍ରକାଶ ଯେ ଲାଲୁ ପ୍ରସାଦ ରାତିସାରା ଶୋଇ ନଥିଲେ । ଲାଲୁ ଯାଦବଙ୍କ ଅବସ୍ଥା ଖରାପ ହେବା ଖବର ପାଇବା ମାତ୍ରେ ତାଙ୍କ ପତ୍ନୀ ରାବଡି ଦେବୀ, ପୁଅ ତେଜ ପ୍ରତାପ ଯାଦବ ଏବଂ ତେଜସ୍ୱୀ ଯାଦବ ରାଞ୍ଚିରେ ପହଞ୍ଚିଥିଲେ। ଦିଲ୍ଲୀରେ ଲାଲୁଙ୍କ ଚିକିତ୍ସା ସମୟରେ ପରିବାର ତାଙ୍କ ସହ ରହିବେ। ରିମ୍ସର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ଲାଲୁ ଯାଦବଙ୍କର ଫୁସଫୁସ୍ ରେ ସଂକ୍ରମଣ ହୋଇଛି।

Comments are closed.