ଲାଲ୍‌କିଲ୍ଲାରେ ତ୍ରିରଙ୍ଗାର ଅପମାନ ଦେଖି ସାରା ଦେଶ ଦୁଃଖୀ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଲାଲ୍‌କିଲ୍ଲାରେ ତ୍ରିରଙ୍ଗାର ଅପମାନ ଦେଖି ସାରା ଦେଶ ଦୁଃଖୀ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ନିଜର ପ୍ରଥମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ କହିଛନ୍ତି ।

ଜାନୁୟାରୀ ୨୬ରେ ତ୍ରିରଙ୍ଗା ପ୍ରତି ହୋଇଥିବା ଅପମାନରେ ସାରା ଦେଶ ସ୍ତବ୍ଧ ହୋଇଛି । ଆଗାମୀ ସମୟକୁ ଆମେ ଆଶା ଓ ନୂତନତ୍ୱରେ ଭରିବାକୁ ପଡିବ । ଆମେ ଗତବର୍ଷ ଅସାଧାରଣ ସଂଯମ ଓ ସାହସର ପରିଚୟ ଦେଇଥିଲୁ । ଏହି ବର୍ଷ ମଧ୍ୟ ଆମମାନଙ୍କୁ କଠିନ ପରିଶ୍ରମ କରି ନିଜର ସଂକଳ୍ପକୁ ବାସ୍ତବତାରେ ରୂପାନ୍ତର କରିବାକୁ ପଡିବ । ଆମେ ନିଜ ଦେଶକୁ ଆହୁରି ଦ୍ରୁତ ଗତିରେ ଆଗକୁ ନେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନିଜ ମାସିକ ରେଡ଼ିଓ କାର୍ଯ୍ୟକ୍ରମରେ କହିଛନ୍ତି ।

କୃଷି ଆଇନ ବିରୋଧରେ ଜାନୁୟାରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ରାଜଧାନୀ ନଗରୀ ରକ୍ଷକ୍ଷେତ୍ର ପାଲଟିଥିଲା । ଅନେକ ସ୍ଥାନରେ ବିକ୍ଷୋଭକାରୀ ଚାଷୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା । କିଛି ବିକ୍ଷୋଭକାରୀ ଐତିହାସିକ ଲାଲ୍‌କିଲ୍ଲାକୁ ନିଜ କବ୍‌ଜାକୁ ନେଇଥିଲେ । ସେଠାରେ ସେମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ନିଜର ଧର୍ମଝଣ୍ଡା ଉଡ଼ାଇଥିଲେ । ଲାଲ୍‌କିଲ୍ଲାରୁ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଏହି ହିଂସାକାଣ୍ଡରେ ବହୁ ପୋଲିସ କର୍ମୀ ଆହତ ହୋଇଥିଲେ । ଆଇଟିଓ ଛକରେ ଟ୍ରାକ୍ଟର ଓଲଟି ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।

Comments are closed.