ଲାଲ୍‌କିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ୍ ସିଧୁ ଗିରଫ

ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସରେ ଦିଲ୍ଲୀର ଐତିହାସିକ ଲାଲ୍‌କିଲ୍ଲାରେ ଘଟିଥିବା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ୍ ସିଧୁ ଗିରଫ ହୋଇଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୀପ୍‌ଙ୍କୁ ଗିରଫ କରିଛି । ତେବେ ତାଙ୍କୁ କେଉଁଠି ଓ କେବେ ଗିରଫ କରାଗଲା ସେନେଇ ପୋଲିସ କୌଣସି ସୂଚନା ଦେଇନାହିଁ । ଗିରଫ ପରେ ଦୀପ୍ ସିଧୁଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ । ଲାଲ୍‌କିଲ୍ଲା ହିଂସା ମାମଲାରେ ପଚାରାଉଚୁରା ପାଇଁ ଦୀପ୍‌ଙ୍କୁ ରିମାଣ୍ଡରେ ନେବାକୁ ପୋଲିସ୍ ଆବେଦନ କରିବ । ଲାଲ୍‌କିଲ୍ଲା ହିଂସା ଘଟଣାରେ ଦୀପ୍‌ଙ୍କ ଠାରୁ ବଡ଼ ଖୁଲାସା ହୋଇପାରେ ପୋଲି ପୋଲିସ୍ ଆଶା କରୁଛି । କାରଣ ଦୀପ୍ କିଛି ଦିନ ତଳେ ଫେସବୁକ୍‌ରେ ଏକ ଭିଡିଓ ଜାରି କରି କହିଥିଲେ ଯେ, ସେ ଯଦି ମୁହଁ ଖୋଲିବେ, ତେବେ ଚାଷୀ ଆନ୍ଦୋଳନରେ ସାମିଲ ଅନେକ ଲୋକଙ୍କ ଅସଲ ମୁଖା ଖୋଲଯିବ ।

ଉଲ୍ଳେଖଯୋଗ୍ୟ, ଲାଲ୍‌କିଲ୍ଲା ହିଂସା ପରଠୁ ଦୀପ୍ ସିଧୁ ନିଖୋଜ ଥିଲେ । ତାଙ୍କ ସମ୍ପର୍କରେ ସୂଚନା ପାଇଁ ପୋଲିସ୍ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ।

ଗଣତନ୍ତ୍ର ଦିବସରେ ଦିଲ୍ଳୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଜାତୀୟ ରାଜଧାନୀ ନଗରୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଦୀପଙ୍କ ନେତୃତ୍ୱରେ ଏକ ବିକ୍ଷୋଭକାରୀ ଗୋଷ୍ଠୀ ଲାଲ୍‌କିଲ୍ଲାରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ଓ ସେଠାରେ ନିଜ ଧର୍ମଝଣ୍ଡା ଉଡ଼ାଇଥିଲେ ।

Comments are closed.