ଲାଲ୍‌କିଲ୍ଲା ହିଂସା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ – ଲାଲ୍‌କିଲ୍ଲା ହିଂସା ମାମଲାରେ ଦିଲ୍ଲୀ ପୋଲିସ୍ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହି ଅଭିଯୁକ୍ତ ଜଣକ ହେଉଛି ୩୦ ବର୍ଷୀୟ ମନିନ୍ଦର ସିଂ । ସେ ପେସାରେ ଜଣେ କାର୍ ଏସି ମେକାନିକ । ପୋଲିସ୍ ତାକୁ ଆଜି ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ଉତ୍ତରପଶ୍ଚିମ ଦିଲ୍ଲୀର ପିତମପୁରା ସ୍ଥିତ ସିଡି ବ୍ଲକ ବସ୍‌ଷ୍ଟପ୍ ରୁ ଗିରଫ କରିଥିଲା ।

ଜାନୁୟାରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲ୍‌କିଲ୍ଲାରେ ସଂଘଟିତ ହିଂସାକାଣ୍ଡରେ ମନିନ୍ଦର ଅନ୍ୟତମ ଅଭିଯୁକ୍ତ ଥିଲା । ସେ ଉକ୍ତଦିନ ଖଣ୍ଡା ବୁଲାଇ ବିକ୍ଷୋଭକାରୀଙ୍କୁ ହିଂସା ଭିଆଇବାକୁ ଉସ୍‌କାଇଥିବା ଅଭିଯୋଗ ହୋଇଥିଲା ।

ଟ୍ରାକ୍ଟର ରାଲିରେ ଭାଗନେବା ପୂର୍ବରୁ ମନିନ୍ଦର ଦୁଇଟି ୪ ଫୁଟିଆ ଖଣ୍ଡା ଯୋଗାଡ କରିଥିଲା । ଘଟଣାଦିନ ସେ ଲାଲ୍‌କିଲ୍ଲା ପାଖରେ ଖଣ୍ଡା ବୁଲାଇ କର୍ତ୍ତବ୍ୟରତ ପୋଲିସକର୍ମୀଙ୍କୁ ଭୟଭୀତ କରିଥିଲା ଓ ବିକ୍ଷୋଭକାରୀଙ୍କୁ ମଧ୍ୟ ଉସକାଇଥିଲା । ତା ନିକଟରୁ ପୋଲିସ୍ ସେହି ଦୁଇ ଖଣ୍ଡାକୁ ଜବତ କରିଛି ।

ଲାଲ୍‌କିଲ୍ଲାରେ ଦଳେ ବିକ୍ଷୋଭକାରୀ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେଠାରେ ନିୟୋଜିତ ପୋଲିସକର୍ମୀଙ୍କୁ ବି ସେମାନେ ଆକ୍ରମଣ କରିଥିଲେ ଏବଂ ଲାଲ୍‌କିଲ୍ଲା ଶୀର୍ଷରେ ନିଜର ଧର୍ମଝଣ୍ଡା ଉଡ଼ାଇଥିଲେ ।

Comments are closed.