ଶ୍ରୀଲଙ୍କାର ପୂର୍ବତନ ସ୍ପିନର ସୂରଜ ରଣଦୀବ ଏବେ ବସ୍ ଡ୍ରାଇଭର

ନୂଆଦିଲ୍ଲୀ – ଭାରତ ବିପକ୍ଷରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଶ୍ରୀଲଙ୍କାର ପୂର୍ବତନ ସ୍ପିନର ସୂରଜ ରଣଦୀବଙ୍କୁ ଏବେ ଅଷ୍ଟ୍ରେଲିଆରେ ବସ୍ ଡ୍ରାଇଭର ଭାବେ ଦେଖିବାକୁ ମିଳିଛି । ବସ୍ ଡ୍ରାଇଭିଂ କରୁଥିବା ସୂରଜଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗୁଜୁରାଣ ମେଣ୍ଟାଇବା ପାଇଁ ରଣଦୀବ ସମ୍ପ୍ରତି ମେଲବୋଣର୍ଣ ସ୍ଥିତ କମ୍ପାନୀ ଟ୍ରାନ୍ସଡେବରେ ବସ୍ ଡ୍ରାଇଭର ଭାବେ କାମ କରୁଛନ୍ତି ।

ରଣଦୀବ ଶ୍ରୀଲଙ୍କା ତରଫରୁ ୧୨ଟି ଟେଷ୍ଟ ଖେଳିଛନ୍ତି । ଏହି ଫର୍ମାଟରେ ସେ ୪୩ଟି ୱିକେଟ୍ ନେଇଛନ୍ତି । ସେ ମଧ୍ୟ ୩୧ଟି ଦିନିକିଆ ଓ ୭ଟି ଟି୨୦ ମ୍ୟାଚ୍ ଖେଳିଥିଲେ ।

ରଣଦୀବ ୨୦୧୯ରେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ । ସେଠାରେ ସେ ବସ୍ ଡ୍ରାଇଭିଂ ସହ ଏକ ସ୍ଥାନୀୟ କ୍ଲବ୍ ପାଇଁ କ୍ରିକେଟ୍ ମଧ୍ୟ ଖେଳୁଛନ୍ତି । ରଣଦୀବ ତାଙ୍କର ଶେଷ ଘରୋଇ ମ୍ୟାଚ୍ ୨୦୧୯ରେ ଖେଳିଥିଲେ । ଶ୍ରୀଲଙ୍କା ଜର୍ସିରେ ତାଙ୍କୁ ଶେଷଥର ୨୦୧୬ରେ ଦେଖିବାକୁ ମିଳିଥିଲା ।

ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ବେଳେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ରଣଦୀବ ଅଷ୍ଟ୍ରେଲୀୟ ଟିମ୍‌କୁ ଅଭ୍ୟାସରେ ସହଯୋଗ କରିଥିଲେ ।

ରଣଦୀବ ଏକଦା ଥରେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହେୱାଗଙ୍କୁ ଶତକରୁ ବଞ୍ଚିତ କରି ଚର୍ଚ୍ଚିତ ହୋଇଥିଲେ । ୨୦୧୦ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ଏକ ତ୍ରିରାଷ୍ଟ୍ରୀୟ ସିରିଜର ମ୍ୟାଚରେ ସେହେୱାଗ ୯୯ ରନରେ ବ୍ୟାଟିଂ କରୁଥିବା ବେଳେ ରଣଦୀବ ଜାଣିଶୁଣି ନୋ-ବଲ୍ ପକାଇ ଏହି ଭାରତୀୟ ଷ୍ଟାରଙ୍କୁ ଶତକରୁ ବଞ୍ଚିତ କରିଥିଲେ । ଏଥିପାଇଁ ସେ ପରେ ସେହେୱାଗଙ୍କୁ କ୍ଷମା ପ୍ରାର୍ଥନା କରିିଥିଲେ ।

Comments are closed.