ସରକାରଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲେ କୃଷକ ସଂଗଠନ, ୧୪ରେ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ – କୃଷି ଆଇନ ସମ୍ପର୍କରେ ସରକାର ପଠାଇଥିବା ପ୍ରସ୍ତାବକୁ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ପ୍ରଦର୍ଶନ ଜାରି ରଖିବେ ବୋଲି କହିଛନ୍ତି। କୃଷକ ନେତାମାନେ କହିଛନ୍ତି ଯେ ସେମାନେ ସାରା ଦେଶରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ। ଡିସେମ୍ବର ୧୪ରେ ସାରା ଦେଶରେ କୃଷି ଆଇନ ବିରୋଧରେ ଧାରଣା ଦିଆଯିବ | ବିଜେପି ମନ୍ତ୍ରୀମାନଙ୍କ ବାସଭବନ ଘେରାଉ କରାଯିବ । ଡିସେମ୍ବର ୧୨ରେ ଜୟପୁର-ଦିଲ୍ଲୀ ଏବଂ ଦିଲ୍ଲୀ-ଆଗ୍ରା ରାଜପଥ ଅବରୋଧ କରାଯିବ ବୋଲି ସେମାନେ କହିଛନ୍ତି । ତା’ଛଡା ଦିଲ୍ଲୀର ସବୁ ରାସ୍ତା ମଧ୍ୟ ଅବରୋଧ କରାଯିବ। ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ଚାଷୀମାନେ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଚାଷୀଙ୍କ କଠୋର ଆଭିମୁଖ୍ୟ ମଧ୍ୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି।

ଏହାପୂର୍ବରୁ କୃଷକ ସଂଗଠନର ଏକ ପ୍ରତିନିଧୀ ଦଳ ସରକାରଙ୍କ ତରଫରୁ ଏକ ଚିଠା ପ୍ରସ୍ତାବ ଗ୍ରହଣ କରିଥିଲେ ଯାହାକି ବିକ୍ଷୋଭକାରୀଙ୍କ କିଛି ମୁଖ୍ୟ ଦାବି ସହ ଜଡିତ ଥିଲା।
ଏହି ଚିଠା ପ୍ରସ୍ତାବ ୧୩ଟି କୃଷକ ସଂଗଠନ ସମେତ ସବୁଠାରୁ ବଡ଼ କୃଷକ ସଂଗଠନ ବିକେୟୁ(ଏକତା ଉଗ୍ରାହନ)କୁ ବି ପଠାଯାଇଥିଲା । ଏହି ସଂଗଠନ ୪୦ଟି ଆନ୍ଦୋଳନକାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ | ଏହାପରେ ସେମାନେ ଏକ ବୈଠକ କରି ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ଗ୍ରହଣ ନ କରିବା ପାଇଁ ଶେଷରେ ନିଷ୍ପତ୍ତି ନେଇଥିଲେ ।

Comments are closed.