ସରକାରୀ ବାସଭବନ ଖାଲି କରିବାକୁ ବିରଜୁ ମହାରାଜଙ୍କୁ କେନ୍ଦ୍ରର ନୋଟିସ୍ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ – ବିଶିଷ୍ଟ କଥକ ବିଶାରଦ ପଣ୍ଡିତ ବିରଜୁ ମହାରାଜଙ୍କୁ ସରକାରୀ ବାସଭବନ ଖାଲି କରିବାକୁ କେନ୍ଦ୍ର ଦେଇଥିବା ନୋଟିସ୍ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ବିରଜୁଙ୍କୁ ଡିସେମ୍ବର ୩୧ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ କୁହାଯାଇଥିଲା । କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରଜୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜଷ୍ଟିସ୍ ବିଭୂ ବାଖରୁଙ୍କ ଏକ ଅବକାଶକାଳୀନ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ଠାରୁ ଜବାବ ମାଗିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିରଜୁ ତାଙ୍କୁ ମିଳିଥିବା ସରକାରୀ ବାସଭବନରେ ରହିପାରିବେ । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୨ରେ ହେବ । ଅକ୍ଟୋବରରରେ ବିରଜୁଙ୍କ ସମେତ ୨୭ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ କେନ୍ଦ୍ର ଆବାସିକ ଓ ସହରୀ ବ୍ୟାପାର ମନ୍ତ୍ରାଳୟ ତରଫରୁ ନୋଟିସ୍ ଜାରି କରାଯାଇଥିଲା । ଡିସେମ୍ବର ୩୧ ସୁଦ୍ଧା ସରକାରୀ ବାସଭବନ ଖାଲି ନକଲେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଥିଲା ।

Comments are closed.