ସର୍ବାଧିକ ସପ୍ତାହ ନମ୍ବର ୱାନ୍‌: ଫେଡେରରଙ୍କ ରେକର୍ଡ ଭାଙ୍ଗିଲେ ଜୋକୋଭିକ୍‌

ପ୍ୟାରିସ୍ – ସର୍ବିୟା ସୁପରଷ୍ଟାର ନୋଭାକ୍ ଜୋକୋଭିକ୍ ସର୍ବାଧିକ ୩୧୧ ସପ୍ତାହ କାଳ ବିଶ୍ୱର ନମ୍ବର ୱାନ ଖେଳାଳି ରହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଏହି ମାମଲାରେ ସେ ରୋଜର ଫେଡେରରଙ୍କୁ ଟପିଛନ୍ତି ।

ଜୋକୋଭିକ୍ ଫେବୃୟାରୀରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିବା ପରେ ଫେଡେରରଙ୍କ ରେକର୍ଡ (୩୧୦ ସପ୍ତାହ)ର ସମକକ୍ଷ ହୋଇଥିଲେ । ତେବେ ସୋମବାର ଜାରି ନୂଆ ଏଟିପି ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖି ଜୋକୋଭିକ୍ ଏହି ସ୍ୱିସ୍ ସୁପରଷ୍ଟାରଙ୍କୁ ଅତିକ୍ରମ କରିଛନ୍ତି । ନମ୍ବର ୱାନ୍ ଭାବେ ଜୋକୋଭିକଙ୍କ ଏହା ୩୧୧ତମ ସପ୍ତାହ ।

ଫେଡେରର ଅଗଷ୍ଟରେ ୪୦ ବର୍ଷ ବୟସରେ ପଦାର୍ପଣ କରିବାକୁ ଥିବା ବେଳେ ଟେନିସ୍ କୋର୍ଟରେ ତାଙ୍କ ଦିନ ନିଶ୍ଚିତ ଭାବେ ଶେଷ ହୋଇଆସୁଛି । ଅନ୍ୟପକ୍ଷେ ଜୋକୋଭିକଙ୍କୁ ଏବେ ମାତ୍ର ୩୩ ବର୍ଷ ହୋଇଛି । ତାଙ୍କ ପାଖରେ ଫେଡେରରଙ୍କ ୨୦ ଗ୍ରାଣ୍ଡସ୍ଲାମ୍ ରେକର୍ଡ ଭାଙ୍ଗିବା ପାଇଁ ବି ଯଥେଷ୍ଟ ସମୟ ଅଛି । ତାଙ୍କର ଅନ୍ୟତମ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରାଫେଲ ନାଡାଲଙ୍କ ଠାରୁ ବି ଜୋକୋଭିକ୍ ବର୍ଷେ କନିଷ୍ଠ । ଉଭୟ ଫେଡେରର ଓ ନାଡାଲ୍ ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତି ବରାବର ସ୍ଥିତିରେ ରହିଛନ୍ତି । ଜୋକୋଭିକ୍ ଏଯାବତ ୧୮ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଜୋକୋଭିକ୍ ଜୁଲାଇ ୨୦୦୫ରେ ପ୍ରଥମ ଥର ଏଟିପି ମାନ୍ୟତାର ଟପ୍‌-୧୦୦ରେ ସ୍ଥାନ ପାଇଥିଲେ । ଜୁନ୍ ୨୦୦୬ରେ ସେ ଟପ୍‌-୫୦ରେ ପହଞ୍ଚିଥିଳେ ଏବଂ ସେହିବର୍ଷ ଅକ୍ଟୋବର ବେଳକୁ ଏହି ୧୮ ଗ୍ରାଣ୍ଡସ୍ଲାମ ବିଜେତା ଟପ୍‌-୨୦କୁ ଉନ୍ନୀତ ହୋଇଥିଲେ । ମାର୍ଚ୍ଚ ୨୦୦୭ରେ ଜୋକୋଭିକ୍ ଟପ୍‌-୧୦ରେ ପ୍ରବେଶ କରିଥିଲେ ।

ନାଡାଲଙ୍କୁ ହରାଇ ଜୋକୋଭିକ୍ ପ୍ରଥମ ଥର ୱିମ୍ବଲଡନ୍ ଟାଇଟଲ୍ ଜିତିବା ପରେ ଜୁଲାଇ ୪,୨୦୧୧ରେ ନମ୍ବର ୱାନ୍ ଖେଳାଳି ହୋଇଥିଲେ । ସେତେବେଳକୁ ତାଙ୍କ ବୟସ ଥିଲା ୨୪ ବର୍ଷ । ୨୦୧୭ରେ ଆଘାତ କାରଣରୁ ଏକାଧିକ ଟୁର୍ଣ୍ଣାମେଣ୍ଟରୁ ଅନୁପସ୍ଥିତି ଯୋଗୁଁ ତାଙ୍କ ମାନ୍ୟତାରେ ସାମୟିକ ଅବନ୍ନତି ଘଟିଥିଲା । ସେହିବର୍ଷ ସେ ୨୨ତମ ସ୍ଥାନକୁ ଖସି ଆସିଥ୍‌ôଲେ । କିନ୍ତୁ ସେହିବର୍ଷ ନଭେମ୍ବରରେ ପୁଣି ଶୀର୍ଷକୁ ଫେରିଥିଲେ । ନଭେମ୍ବର ୨୦୧୯ରୁ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ନାଡାଲ ପ୍ରଥମ ସ୍ଥାନରେ ରହିଥିଲେ । ହେଲେ ଫେବୃୟାରୀ ୨୦୨୦ ପରଠୁ ଜୋକୋଭିକ୍ ଶୀର୍ଷ ସ୍ଥାନରେ ରହି ଆସିଛନ୍ତି ।

Comments are closed.