ସହରର ଆବର୍ଜନା ପରିଚାଳନା ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ଆର୍. ଏମ୍. ସି ର ପ୍ରୟାସ, ଘରେ ଘରେ ଲାଗିବ କ୍ୟୁ. ଆର୍. କୋଡ୍

ରାଉରକେଲା: ସହରର ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଉରକେଲା ମହାନଗର ନିଗମ ଏକ ନିଆରା ପଦକ୍ଷେପ ନେଇଛି। ଘର ମାନଙ୍କରେ କ୍ୟୁ. ଆର୍. କୋଡ୍ ଟାଗ୍ ଲଗାଉଛି ମହାନଗର ନିଗମ। ଫଳରେ କେଉଁ ଘରୁ ଆବର୍ଜନା ସଂଗ୍ରହ ହୋଇନାହିଁ ତାହା ସହଜରେ ଜଣାପଡିପାରିବ ଏବଂ ତଦନୁଯାୟୀ ମହାନଗର ନିଗମ କର୍ତ୍ତୃପକ୍ଷ ତୁରନ୍ତ ଉଚିତ ପଦକ୍ଷେପ ନେବାରେ ସଫଳ ହୋଇପାରିବେ। କେବଳ ଘର ନୁହଁ, ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟ ମାନଙ୍କରେ ବି ଏହି ଟାଗ୍ ଲାଗିବ ବୋଲି ଜଣାପଡ଼ିଛି।

ଏସଂପର୍କରେ ମତରଖି ରାଉରକେଲା ମହାନଗର ନିଗମ କମିଶନର, ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ, ବେଳେ ବେଳେ ଆବର୍ଜନା ସଂଗ୍ରହକାରୀ ଗାଡ଼ି ଠିକ ସମୟରେ ଆସୁନାହିଁ ବୋଲି କିଛି ଗୃହକର୍ତ୍ତା ତଥା ବ୍ୟବସାୟୀ ଅଭିଯୋଗ କରନ୍ତି। ତେଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ଘର ମାନଙ୍କରେ କ୍ୟୁ. ଆର୍. କୋଡ୍ ଟ୍ୟାଗ୍ ଲଗାଇବା ଲାଗି ଚିନ୍ତା କରାଗଲା। ପ୍ରତିଦିନ ଆବର୍ଜନା ସଗ୍ରହ ପାଇଁ ଯାଉଥିବା ଗାଡ଼ିରେ ନିୟୋଜିତ ସଫେଇ କର୍ମଚାରୀ ଘରୁ ଆବର୍ଜନା ସଂଗ୍ରହ କରିବା ସମୟରେ ଉକ୍ତ କ୍ୟୁ.ଆର୍. କୋଡ୍ କୁ ସ୍କାନ୍ କରିବେ। ଫଳରେ ଘରୁ ଆବର୍ଜନା ସଂଗ୍ରହ ହୋଇଛି କି ନାହିଁ, ତାହା ଜଣାପଡିପାରିବ। ଯଦି କେହି କୌଣସି ଘରୁ ଭୁଲରେ ଆବର୍ଜନା ସଂଗ୍ରହ କରିନଥିବେ, ତାହା ବି ଏହି ବ୍ୟବସ୍ଥା ମାଧ୍ୟମରେ ଜଣାପଡ଼ିଯିବ। ମହାନଗର ନିଗମରେ ଥିବା କଂଟ୍ରୋଲ ରୁମ ମାଧ୍ୟମରେ ଉକ୍ତ ସଫେଇ କର୍ମଚାରୀଙ୍କୁ ଏହି ବିଷୟରେ ସୂଚନା ବି ଚାଲିଯିବ। ଯାହା ଆଧାରରେ ସଫେଇ କର୍ମଚାରୀ ଜଣକ ତ୍ୱରିତ ପଦକ୍ଷେପ ନେଇପାରିବେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସହରର ଦଶ ହଜାର ଘର ବା କୋଠାରେ ଏହି କ୍ୟୁ.ଆର୍. କୋଡ୍ ଲଗାଯାଉଅଛି। ବ୍ୟକ୍ତିଗତ ମାଲିକାନାରେ ଥିବା ଘର ମାନଙ୍କରେ ଗୋଟିଏ କ୍ୟୁ.ଆର୍. କୋଡ୍ ଲଗାଯାଉଥିବା ବେଳେ ଆପାର୍ଟମେଣ୍ଟରେ ଥିବା ସମସ୍ତ ଘରକୁ ଗୋଟିଏ ୟୁନିଟ ଭାବେ ପରିଗଣିତ କରାଯାଉଅଛି ଏବଂ ସେଠାରେ ଗୋଟିଏ ହିଁ କ୍ୟୁ.ଆର୍. କୋଡ୍ ଟାଗ୍ ଲାଗିବ। ବର୍ତ୍ତମାନ ସହରର ଛେଣ୍ଡ୍, ବାସନ୍ତି କଲୋନୀ ଓ ସିଭିଲ ଟାଉନସିପ ଅଞ୍ଚଳରେ ଥିବା ଘର ମାନଙ୍କରେ କ୍ୟୁ.ଆର୍ କୋଡ୍ ଲାଗିବା କାର୍ଯ୍ୟ ଆରମ୍ଭ ହୋଇସାରିଛି। ଘରୁ ପୃଥକୀକୃତ ଆବର୍ଜନା ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଅଛି। ପ୍ରାରମ୍ଭିକ ପର୍ଯ୍ୟାୟର ସଫଳତାକୁ ଦେଖି ସହରର ସମସ୍ତ ଘରେ ଏହି କ୍ୟୁ. ଆର୍. କୋଡ୍ ଲଗାଇବା ଲାଗି ବ୍ୟବସ୍ଥା କରାଯିବ ବୋଲି ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। କେବଳ ସେତିକି ନୁହେଁ ସହରରେ ମହାନଗର ନିଗମ ପକ୍ଷରୁ ସ୍ଥାପନ କରାଯାଇଥିବା ସମସ୍ତ ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟରେ ମଧ୍ୟ ଏହିଭଳି କ୍ୟୁ.ଆର୍. କୋଡ୍ ଲଗାଯାଉଛି। ଏହି ସ୍ୱତନ୍ତ୍ର କ୍ୟୁ.ଆର୍. କୋଡ୍ ମାଧ୍ୟମରେ ଶୌଚାଳୟ ବ୍ୟବହାରକାରୀ ମାନେ ସାମଗ୍ରୀକ ପରିଛନ୍ନତା ଏବଂ ଶୌଚାଳୟ ପରିଚାଳନା ଆଦି ବାବଦରେ ନିଜ ନିଜର ମତାମତ ମଧ୍ୟ ଦେଇପାରିବେ। ଫଳରେ ଶୌଚାଳୟ ଗୁଡ଼ିକର ପରିଚାଳନା ଏବଂ ସଫେଇ ଇତ୍ୟାଦି ସୁନିଶ୍ଚିତ କରାଯାଇପାରିବ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ରାଉରକେଲା ମହାନଗର ନିଗମ ଅଧିନରେ ସଫେଇ ଆଦି କାର୍ଯ୍ୟରେ ନିୟୋଜିତ ସମସ୍ତ ଗାଡ଼ିରେ ଏବେ ଜିପିଏସ୍ ଟ୍ରାକିଂ ଯନ୍ତ୍ର ଲଗାଯାଇଅଛି। ଫଳରେ କେଉଁ ଗାଡି କୁଆଡେ ଯାଉଛି, ପ୍ରତିଟି ଗାଡ଼ି ଠିକ ସମୟରେ ଆବର୍ଜନା ସଂଗ୍ରହ କାର୍ଯ୍ୟରେ ଲାଗିଛି କି ନାହିଁ ଇତ୍ୟାଦି ବିଷୟରେ ଜଣାପଡ଼ିପାରିବ।

Comments are closed.