ଦ୍ୱିତୀୟ ଟି୨୦ରେ ଇଂଲଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

ଅହମ୍ମଦାବାଦ – ପଦାର୍ପଣରେ ଇଶାନ କିଶାନଙ୍କ ଚମକପ୍ରଦ ଇନିଂସ ସହ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଭାରତ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡକୁ ୭ ୱିକେଟରେ ହରାଇଛି । ଏହି ଦମଦାର ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ସ୍ତରକୁ ଆଣିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୬ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ଏହାର ଜବାବରେ ଭାରତ ୧୩ଟି ବଲ୍ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଭାରତ ତରଫରୁ ଡେବ୍ୟୁ ମ୍ୟାଚ୍ ଖେଳୁଥିବା କିଶାନ ଓପନିଂରେ ଆସି ଏକ ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମାତ୍ର ୩୨ ବଲରେ ୫ଟି ଚୌକା ଓ ୪ଟି ଛକା ସହ ୫୬ ରନ୍ କରିଥିଲେ । ପ୍ରଥମ ମ୍ୟାଚରେ ଶୂନରେ ଆଉଟ୍ ହେବା ପରେ କୋହଲି ମଧ୍ୟ ଫର୍ମକୁ ଫେରିଥିଲେ । କୋହଲି ୪୯ ବଲରେ ୫ଟି ଚୌକା ଓ ୩ଟି ଛକା ସହ ୭୩ ରନ୍ କରି ଅପରାଜିତ ରହିଥିଲେ । ଏହି ଇନିଂସ ଅବସରରେ କୋହଲି ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୩୦୦୦ ରନ୍ ପୂରଣ କରିଛନ୍ତି ।

୧୬୬ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ଶୀଘ୍ର କେଏଲ ରାହୁଲଙ୍କ ୱିକେଟ୍ ହରାଇଥିଲା । ରାହୁଲ ଖାତା ଖୋଲି ନପାରି ପ୍ରଥମ ଓଭରରେ ହିଁ ସାମ କରନଙ୍କ ବଲରେ ଆଉଟ୍ ହୋଇଥିଲେ । ତେବେ ଡେବୁଟାଣ୍ଟ୍ କିଶାନ ନିଜ ପ୍ରତିଭାର ପ୍ରଦର୍ଶନ କରି ଚିତ୍ତାକର୍ଷକ ପାଳି ଖେଳିଥିଲେ । ଅଧିନାୟକ କୋହଲିଙ୍କ ସହ କିଶାନ ଦ୍ୱିତୀୟ ୱିକେଟରେ ୯୪ ରନ ଯୋଗକରି ଭାରତର ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ଅର୍ଦ୍ଧଶତକୀୟ ପାଳି ପରେ କିଶାନ ଦଶମ ଓଭରରେ ଆଦିଲ ରସିଦଙ୍କ ଶିକାର ହୋଇଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିବା ପନ୍ତ ମାତ୍ର ୧୩ ବଲରେ ୨ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ଦ୍ରୁତ ୨୬ ରନ୍ କରିଥିଲେ । ହେଲେ ସେ ୧୪ତମ ଓଭରରେ ପ୍ୟାଭିଲିୟନ୍ ଫେରିଥିଲେ । ସେତେବେଳକୁ ଭାରତ ବିଜୟର ନିକଟତର ହୋଇଯାଇଥିଲା । କ୍ରିସ୍ ଜୋର୍ଡାନଙ୍କ ବଲରେ ଏକ ଛକା ମାରି କୋହଲି ଔପଚାରିକତା ପୂରଣ କରିଥିଲେ ।

ପୂର୍ବରୁ କୋହଲି ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ଖାତା ଖୋଲିପାରିନଥିଲେ। ତାଙ୍କୁ ଭୁବନେଶ୍ୱର କୁମାର ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଏହା ପରେ ଜେସନ୍ ରୟ ଓ ଦୁନିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଡେୱିଡ୍ ମଲାନ୍ ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନ୍ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ମଲାନ୍ ୨୪ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ।
ରୟ ନିଜର ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ୱାଶିଂଟନ୍ ସୁନ୍ଦର ପ୍ୟାଭିଲିୟନ୍ ପଠାଇ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ରୟ ୩୫ ବଲରେ ୪ ଚୌକା ଓ ୨ ଛକା ସହ ୪୬ ରନ୍ କରିଥିଲେ। ଜନ୍ନି ବେୟାରଷ୍ଟୋ ଓ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ରନ୍ ଗତିକୁ ବଢ଼ାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ସୁନ୍ଦର ଭାଙ୍ଗିଥିଲେ। ବେୟାରଷ୍ଟୋ ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ପରେ ପରେ ମୋର୍ଗାନଙ୍କ ୱିକେଟ୍ ନେଇ ଶାର୍ଦ୍ଦୁଲ ଠାକୁର ଭାରତକୁ ସବୁଠାରୁ ବଡ଼ ସଫଳତା ଦେଇଥିଲେ। ମୋର୍ଗାନ୍ ୨୦ ବଲରେ ୪ ଚୌକା ସହ ୨୮ ରନ୍ କରିଥିଲେ।

ଶେଷ ୫ ଓଭରରେ ଭାରତୀୟ ବୋଲର ଚତୁରତାର ସହ ବୋଲିଂ କରିଥିଲେ। ବିଶେଷକରି ଶାର୍ଦ୍ଦୁଲ ଓ ଭୁବନେଶ୍ୱରଙ୍କ ସ୍ଲୋ’ବଲର କୌଣସି ଜବାବ ଇଂଲିଶ ଟିମର ବ୍ୟାଟ୍ସମ୍ୟାନଙ୍କ ପାଖରେ ନଥିଲା। ଭ୍ରମଣକାରୀ ଦଳର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଶାର୍ଦ୍ଦୁଲଙ୍କ ସ୍ଲୋ’ ବଲର ଶିକାର ହୋଇ ନିଜ ୱିକେଟ୍ ଦେଇ ବସିଥିଲେ। ଷ୍ଟୋକ୍ସ ୨୧ ବଲରେ ୨୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସାମ୍ କୁରାନ୍ ୬ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ସୁନ୍ଦର ଓ ଶାର୍ଦ୍ଦୁଲ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଭୁବନେଶ୍ୱର ଓ ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Comments are closed.