ସାବାସ୍ ସ୍ନେହାଙ୍ଗିନୀ: ଭୟରେ ଆସୁନଥିବା ୩୮ ଲକ୍ଷଣଯୁକ୍ତଙ୍କ ପରୀକ୍ଷା କରାଇଲେ ବିଧାୟିକା, ଡାକ୍ତରୀ ଟିମ୍ ଦ୍ଵାରା ୧୦ ପଜିଟିଭ୍ ଚିହ୍ନଟ

ବରଗଡ଼ : ବର୍ତ୍ତମାନ କରୋନାର ଭୟାବହତା ସାରା ଦୁନିଆଁର ଲୋକଙ୍କୁ ଆତଙ୍କିତ କରି ରଖିଛି । ପ୍ରତିଦିନ ମୃତ୍ୟୁର ଖବର ଲୋକଙ୍କୁ ଅତିଷ୍ଠ କରି ଦେଉଛି । ସେପଟେ , ଗାଁ ଗୁଡିକରେ ରହିଥିବା ଅନ୍ଧବିଶ୍ୱାସ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରି ଦେଉଛି । ପୁଣି ଆକ୍ରାନ୍ତଙ୍କୁ ଲୋକେ ଘୃଣା ଚକ୍ଷୁରେ ଦେଖୁଥିବାରୁ ଗ୍ରାମାଞ୍ଚଳର ବହୁ ଅଶିକ୍ଷିତ ଲୋକେ ଲକ୍ଷଣ ଥିବା ସତ୍ତ୍ୱେ ପରୀକ୍ଷା କରାଇବାକୁ ଅମଙ୍ଗ ହେଉଛନ୍ତି । ଆଉ ଗୁରୁତର ହୋଇ ଅବେଳରେ ମୃତ୍ୟୁମୁଖରେ ପଡୁଛନ୍ତି । ବରଗଡ ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀର କେତେକ ଗାଁରେ ଏଭଳି ଅନେକ ସଂଖ୍ୟାରେ ଲକ୍ଷଣଯୁକ୍ତ ଥିବା ନେଇ ଜାଣିବା ପରେ ନିଜେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ସେହି ଗାଁକୁ ଡାକ୍ତରୀ ଟିମ୍ ସହ ପହଞ୍ଚି ଲୋକଙ୍କୁ ବୁଝାଇ ସମସ୍ତଙ୍କ ପରୀକ୍ଷା କରାଇଛନ୍ତି । ଫଳରେ ସେଥିରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ , ବିଧାୟିକାଙ୍କ ଏଭଳି ମହାନ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ଅତାବିରା ଏବଂ ଭେଡେନ୍ ଅଞ୍ଚଳରେ ଅନେକ ଆଦିବାସୀ ବହୁଳ ଗାଁରେ ଏବେ ବି ଅନ୍ଧବିଶ୍ବାସ ବସା ବାନ୍ଧିଛି । ତେବେ , ବର୍ତ୍ତମାନ କରୋନା ସମୟରେ ଏହି ଅନ୍ଧବିଶ୍ବାସ ଦ୍ବିଗୁଣିତ ହୋଇଯାଇଛି । ବିଶେଷ କରି କରୋନା ଆକ୍ରାନ୍ତଙ୍କୁ ଛୁଇଁଲେ ସଂକ୍ରମଣର ଭୟ ଥିବା ବେଳେ ମୃତକଙ୍କ ଶବକୁ ବି ଦାହସଂସ୍କାର ପ୍ରଶାସନ କରୁଥିବାରୁ ଏହି ଅନ୍ଧବିଶ୍ବାସ ବଢିବାରେ ଲାଗିଛି । ଏହି କାରଣରୁ , ଅଞ୍ଚଳରେ କିଛି ଗାଁରେ ଅନେକ ଦିନ ଧରି ଜ୍ବର , ଝାଡ ପରି ବିଭିନ୍ନ କରୋନାର ଲକ୍ଷଣଧାରୀ ଥିଲେ ହେଁ ସେମାନେ ପରୀକ୍ଷା କରୁନଥିବା ବିଧାୟିକା ଶ୍ରୀମତି ଛୁରିଆ ସୂଚନା ପାଇଥିଲେ ।

ଏହାପରେ ସତନ୍ତ୍ର ଡାକ୍ତରୀ ଟିମ୍ ସହ ସେମାନଙ୍କ ଗାଁକୁ ଯାଇ ଘରକୁ ଘର ଯାଇ ଲୋକଙ୍କୁ ବୁଝାଇବା ସହ ପରୀକ୍ଷା କରାଇଥିଲେ । ମୋଟ୍ ୩୮ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ପଜିଟିଭ୍ ଟିହ୍ନଟ ହୋଇଛନ୍ତି । ଆଉ ପଜିଟିଭ୍ ଚିହ୍ନଟ ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ନବୀନ ସରକାର ସମସ୍ତଙ୍କ ମାଗଣା ପରୀକ୍ଷା ଠାରୁ ଆରମ୍ଭ କରି କୋଭିଡ୍ କେୟାର୍ ସେଣ୍ଟର ଏବଂ ହସପିଟାଲରେ ମାଗଣାରେ ଚିକିତ୍ସା ସହିତ ଖାଇବା ପିଇବା ସବୁ ବ୍ୟବସ୍ଥା କରୁଥିବା ବେଳେ ପରୀକ୍ଷାକୁ ଜରି ଜୀବନକୁ କାହିଁକି ବିପନ୍ନରେ ପକାଇବା ବୋଲି ବିଧାୟିକା ସଚେତନ କରାଇଥିଲେ ।

ବିଶେଷ କରି ଲକ୍ଷଣଥିବା ଘରକୁ ଯିବାକୁ ଲୋକେ ଡରୁଥିବା ବେଳେ ସ୍ନେହାଙ୍ଗିନୀଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ଅପରପକ୍ଷେ , ତାଙ୍କ ଏଭଳି ପଦକ୍ଷେପ ଦ୍ଵାରା ସେହି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ବି ହ୍ରାସ ପାଇଛି । କାରଣ , ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇନଥିଲେ ସେହି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିର କାରଣ ପାଲଟିଥାନ୍ତେ ବୋଲି ଚର୍ଚ୍ଚା ହେଉଛି ।

Comments are closed.