ସିପିଏମ୍ ନେତାଙ୍କ ବୟାନଙ୍କୁ ନେଇ ଝଡ଼: ରାଜନୀତିରେ ଯୋଗଦେବାକୁ ଗାଙ୍ଗୁଲିଙ୍କ ଉପରେ ଚାପ ପକାଯାଉଛି

କୋଲକାତା – ଦୁଇଦିନ ତଳେ ହୃଦଘାତର ଶିକାର ହୋଇ ସମ୍ପ୍ରତି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ପଶ୍ଚିମବଙ୍ଗର ବରିଷ୍ଠ ସିପିଆଇ(ଏମ୍‌) ନେତା ଅଶୋକ ଭଟ୍ଟାଚାର୍ଯ୍ୟଙ୍କ ବୟାନ ରାଜନୌତିକ ମହଲରେ ଝଡ଼ ସୃଷ୍ଟି ହୋଇଛି । ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ରାଜନୀତିରେ ଯୋଗଦେବାକୁ ଗାଙ୍ଗୁଲିଙ୍କ ଉପରେ ଚାପ ପକାଯାଉଛି । ଏହି କାରଣରୁ ସେ ହୃଦଘାତର ଶିକାର ହେଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଚଳିତ ବର୍ଷ ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହା ପୂର୍ବରୁ ଗାଙ୍ଗୁଲି ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । କିନ୍ତୁ ରାଜନୈତିକ ମଇଦାନକୁ ଓହ୍ଲାଇବା ନେଇ ଗାଙ୍ଗୁଲି କିନ୍ତୁ କୌଣସି ସଙ୍କେତ ଦେଇ ନାହାନ୍ତି । ଶନିବାର ହୃଦଘାତର ଶିକାର ହେବା ପରେ ଗାଙ୍ଗୁଲିଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ସେ କୋଲକାତାର ଉଡଲାଣ୍ଡ୍ ହସ୍ପିଟାଲରେ ସମ୍ପ୍ରତି ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ତାଙ୍କର ଆଉ ଗୋଟିଏ ଆଞ୍ଜିଓପ୍ଲାଷ୍ଟି ହୋଇପାରେ ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି ।
ଭଟ୍ଟାଚାର୍ଯ୍ୟ କହିଛନ୍ତି, କିଛି ଲୋକ ଗାଙ୍ଗୁଲିଙ୍କୁ ନିଜ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଚାପରେ ଥିଲେ । ସେ ରାଜନୈତିକ ଲୋକ ନୁହଁନ୍ତି । ଗାଙ୍ଗୁଲି ଜଣେ ସ୍ପୋର୍ଟ୍ସ ଆଇକନ୍ ଭାବେ ପରିଚିତ । ରାଜନୀତିରେ ଯୋଗଦେବାକୁ ଆମେ ତାଙ୍କ ଉପରେ ଚାପ ପକାଇବା ଉଚିତ ନୁହେଁ ।

ରାଜନୀତିରୁ ଦୂରେଇ ରହିବାକୁ ମୁଁ ତାଙ୍କୁ ଗତ ସପ୍ତାହରେ ପରାମର୍ଶ ଦେଇଥିଲି । ସେ ମଧ୍ୟ ମୋ କଥାରେ ସହମତ ହୋଇଥିଲେ ବୋଲି ଗାଙ୍ଗୁଲିଙ୍କ ପରିବାରର ଘନିଷ୍ଠ ବନ୍ଧୁ କୁହାଯାଉଥିବା ଭଟ୍ଟାଚାର୍ଯ୍ୟ କହିଛନ୍ତି । ତେବେ ଭଟ୍ଟାଚାର୍ଯ୍ୟଙ୍କ ଏଭଳି ମନ୍ତବ୍ୟ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପିର ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି, କିଛି ଲୋକଙ୍କୁ ସବୁକଥାରେ ଖାଲି ରାଜନୀତି ଦେଖାଯାଉଛି । ଗାଙ୍ଗୁଲିଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭଳି ଆମେ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ ।

Comments are closed.