ସୁପ୍ରିମକୋର୍ଟଙ୍କ ରାୟ: ତାଲିମପ୍ରାପ୍ତ ଆୟୁଷ ଓ ହୋମିଓପାଥି ଡାକ୍ତର କରୋନା ରୋଗୀଙ୍କ ପାଇଁ ଔଷଧ ଲେଖିପାରିବେ

ନୂଆଦିଲ୍ଲୀ – ଆୟୁଷ ଓ ହୋମିଓପାଥି ଡାକ୍ତ୍‌ମାନେ କରୋନା ରୋଗୀଙ୍କ ଚିକିତ୍ସା କରିପାରିବେ କି ନାହିଁ ସେ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ତାଲିମପ୍ରାପ୍ତ ଆୟୁଷ ଓ ହୋମିଓପାଥୀ ଡାକ୍ତରମାନେ କରୋନା ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଔଷଧ ଲେଖିପାରିବେ । କିନ୍ତୁ କରୋନା ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରୁଥିବା ଦାବି କରି କୌଣସି ପ୍ରଚାର କରିପାରିବେ ନାହିଁ କିମ୍ବା କୌଣସି ବିଜ୍ଞାପନ ଦେବେ ନାହିଁ । ଆୟୁଷ ଓ ହୋମିଓପାଥି ଡାକ୍ତର କରୋନା ରୋଗ ପାଇଁ ଔଷଧ ଲେଖିପାରିବେ ନାହିଁ ବରଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦେଇପାରିବେ ବୋଲି ଅଗଷ୍ଟ ୨୧ରେ କେରଳ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆଗତ ଏକ ପିଟିସନ୍ ଉପରେ ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି ।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ, ଆୟୁଷ ଓ ହୋମିଓପାଥି ଡାକ୍ତର କରୋନା ରୋଗୀଙ୍କ ଚିକିତ୍ସା କରିପାରିବେ ନାହିଁ । କରୋନା ରୋଗୀଙ୍କ ପାଇଁ ଏହି ଡାକ୍ତରମାନେ ଔଷଧ ଲେଖିବାକୁ ବି ଅନୁମତି ଦିଆଯାଇ ପାରିବ ନାହିଁ । ଆୟୁଷ ଓ ହୋମିଓପାଥି ଡାକ୍ତର କରୋନା ସଂକ୍ରମଣକୁ ରୋକିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଔଷଧ ଲେଖିପାରିବେ । ସୁପ୍ରମକୋର୍ଟରେ ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର ଆହୁରି କହିଥିଲେ ଯେ, ଆୟୁଷ ଓ ହୋମିଓପାଥି ଡାକ୍ତର କରୋନା ରୋଗର ଚିକିତ୍ସା ସମ୍ବନ୍ଧୀୟ କୌଣସି ବିଜ୍ଞାପନ ଦେଇପାରିବେ ନାହିଁ ।

କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ମାର୍ଚ୍ଚ ୫ରେ ଏକ ବିଜ୍ଞପ୍ତି ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, କରୋନାର ଚିକିତ୍ସା ପାଇଁ ଅନ୍ୟ ଚିକିତ୍ସା ପଦ୍ଧତି ସହ ହୋମିଓପାଥିକ ଚିକିତ୍ସାକୁ ସାମିଲ କରିବା ପାଇଁ ରାଜ୍ୟ ସରକାରମାନେ ପଦକ୍ଷେପ ନେବା ଉଚିିିତ ।

Comments are closed.