ହାଫିଜ୍ ସଇଦକୁ ୧୫ ବର୍ଷ ଜେଲ୍‌

କରାଚି – ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ୍ ତଥା ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଜମାତ୍‌-ଉଦ୍‌-ଦାୱାର ମୁଖ୍ୟ ହାଫିଜ୍ ସଇଦକୁ ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ ଅଦାଲତ ସାଢ଼େ ୧୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛି । ଏକ ଟେରର ଫଣ୍ଡିଂ ମାମଲାରେ ସଇଦକୁ ଏହି ସଜା ହୋଇଛି । ଏହାଛଡ଼ା ତା’ ଉପରେ କୋର୍ଟ ୨୦୦,୦୦୦ ପାକିସ୍ତାନୀ ଟଙ୍କା ଜରିମାନା ଲଗାଯାଇଛି । ଏହା ପୂର୍ବରୁ ୭୦ ବର୍ଷୀୟ ହାଫିଜକୁ ଅନ୍ୟ ଚାରି ଟେରର ଫଣ୍ଡିଂ ମାମଲାରେ ୨୧ ବର୍ଷ କାରାଦଣ୍ଡ ମିଳିଥିଲା । ଏହିସବୁ ମିଶାଇ ଏବେ ସଇଦକୁ ୩୬ ବର୍ଷ ଜେଲଦଣ୍ଡ କାଟିବାକୁ ପଡିବ । ତାକୁ ସମ୍ପ୍ରତି ଲାହୋରର କୋଟ୍ ଲଖପତ ଜେଲରେ ରଖାଯାଇଛି । ପାଞ୍ଚଟି ଯାକ ଟେରର ଫଣ୍ଡିଂରେ ତାକୁ ହୋଇଥିବା ଦଣ୍ଡବିଧାନ ସମାନ୍ତରାଳ ଭାବେ ଚାଲିବ । କିଛି ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି ଯେ, ଜେଲରେ ହାଫିଜକୁ ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯାଉଛି । ସଇଦକୁ ଜାତିସଂଘ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିଥିଲା । ଆମେରିକା ମଧ୍ୟ ତା’ ମୁଣ୍ଡ ଉପରେ ୧୦ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଛି । ଟେରର ଫଣ୍ଡିଂ ମାମଲାରେ ହାଫିଜ୍ ଗତବର୍ଷ ଜୁଲାଇ ୧୭ରେ ଗିରଫ କରାଯାଇଥିଲା ।

Comments are closed.