ହିମନ୍ତ ବିଶ୍ବ ଶର୍ମା ହେବେ ଆସାମର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ସପ୍ତାହକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇଛି। ରବିବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ବା ଶର୍ମା ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ ଏବଂ ବିଜେପିର ଆସାମ ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା ମଧ୍ୟ ଯୋଗ ଦେଇଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ।
ଶର୍ମା ଏବଂ ସୋନୋୱାଲ ଶନିବାର ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଫେରିଥିଲେ। ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡ୍ଡାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍ ସନ୍ତୋଷଙ୍କ ଉପସ୍ଥିତିରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା। ସେବେଠାରୁ ଶର୍ମାଙ୍କୁ ସିଏମ୍ କରାଯିବା ନେଇ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା।

ଆସାମରେ ତିନି ପର୍ଯ୍ୟାୟ ନିର୍ବାଚନରେ ​​ବିଜେପି ମିଳିତ ମଞ୍ଚ ୭୫ଟି ସିଟ୍ ବହୁମତ ହାସଲ କରିଥିଲା। ବିଜେପିର ଏହି ବିଜୟ ଆସାମରେ ଇତିହାସ ସୃଷ୍ଟି କରିଛି, ଯେହେତୁ ଏହି ରାଜ୍ୟରେ ୭୦ ବର୍ଷ ମଧ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କୌଣସି ଅଣ-କଂଗ୍ରେସ ଦଳ କ୍ଷମତାକୁ ଫେରିନଥିଲା।

ସୋନୋୱାଲ ମାଜୁଲିରେ କ୍ରମାଗତ ଦ୍ୱିତୀୟ ଥର ଜିତିଥିଲେ । ସେ ଏହି ଆସନରେ କଂଗ୍ରେସ ନେତା ରାଜୀବ ଲୋଚାନ ପେଗୁଙ୍କୁ ୪୩,୧୯୨ ଭୋଟରେ ପରାସ୍ତ କରିଥିଲେ । ଅନ୍ୟପକ୍ଷେ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସର ରୋମେନ ଚନ୍ଦ୍ର ବୋରଥାକୁରଙ୍କୁ ୧.୦୧ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରି ଜାଲୁକବରୀ ଆସନ ବଜାୟ ରଖିଥିଲେ । ସୋନୋୱାଲ ଏବଂ ଶର୍ମାଙ୍କ ବ୍ୟତୀତ ଅନ୍ୟ ୧୩ ଜଣ ବିଜେପି ମନ୍ତ୍ରୀ ମଧ୍ୟ ସହଜରେ ନିଜ ଆସନ ବଜାୟ ରଖିବାରେ ସଫଳ ହୋଇଥିଲେ।

 

Comments are closed.