ହିମସ୍ଖଳନ ଯୋଗୁଁ ସୃଷ୍ଟି ହୋଇଛି ବିପଜ୍ଜନକ ହ୍ରଦ, ପୁଣି ଏକ ଜଳ ପ୍ରଳୟ ଆଶଙ୍କା

ନୂଆଦିଲ୍ଲୀ – ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ଗତ ରବିବାର ଘଟିଥିବା ହିମସ୍ଖଳନ ଯୋଗୁଁ ଉପରମୁଣ୍ଡରେ ଋଷିଗଙ୍ଗା ନଦୀର ପ୍ରବାହ ମାଟି, କାଦୁଅ ଦ୍ୱାରା ବନ୍ଦ ହୋଇଛି । ଫଳରେ ସେଠାରେ ଏକ ହ୍ରଦ ସଦୃଶ ବିପଜ୍ଜନକ ‘ଜଳଘେରି’ ସୃଷ୍ଟି ହୋଇଛି । ସୋଟେଲାଇଟ୍ ଫଟୋରୁ ଏହା ସ୍ପଷ୍ଟ ହୋଇଛି । ଏହି ହ୍ରଦର ଦୁର୍ବଳ ବନ୍ଧ ଭାଙ୍ଗିଗଲେ ପାହାଡ ଉପରୁ ଭୟଙ୍କର ଗତିରେ ପାଣି ତଳମୁଣ୍ଡକୁ ଆସିବ ଏବଂ ଆଉ ଏକ ପ୍ରଳୟର କାରଣ ସାଜିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଯଦି ଏଭଳି ଘଟେ, ତେବେ ରିଲିଫ୍ କାର୍ଯ୍ୟ ପ୍ରଭାବିତ ହେବ । ହିମସ୍ଖଳନ ଯୋଗୁଁ ପ୍ରଭାବିତ ଅଞ୍ଚଳରୁ ଏବେ ସୁଦ୍ଧା ୪୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଏବେ ବି ନିଖୋଜ ଅଛନ୍ତି ।

ହିମସ୍ଖଳନ ଦ୍ୱାରା ଋଷିଗଙ୍ଗାର ଉପରମୁଣ୍ଡରେ ସୃଷ୍ଟ ହ୍ରଦ ଦ୍ୱାରା ସମ୍ଭାବ୍ୟ ବିପର୍ଯ୍ୟୟକୁ ରୋକିବାକୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ସହ ମିଶି ଏନ୍‌ଡିଆରଏଫ୍ ଉଦ୍ୟମ କରୁଛନ୍ତି । ଉଭୟ ସଂସ୍ଥାର ବିଶେଷଜ୍ଞ ଦଳ ପରିସ୍ଥିତି ଉପରେ ନଜର ରଖିଛନ୍ତି ଓ ତଦ୍‌ନୁସାରେ ପଦକ୍ଷେପ ନେଉଛନ୍ତି । ତା’ ପୂର୍ବରୁ ଡିଆରଡିଓ ଓ ଏନ୍‌ଡିଆରଫ୍‌ର ଟିମ୍ ଆକାଶମାର୍ଗରୁ ହିମସ୍ଖଳନ ଦ୍ୱାରା ସୃଷ୍ଟ ହ୍ରଦକୁ ଚିହ୍ନଟ କରିଥିଲେ । ଡ୍ରୋନ୍‌, ମାନବ ରହିତ ଫ୍ଲାଇଟ୍ ସହ ମଧ୍ୟ ଉକ୍ତ ବିପଜ୍ଜନକ ହ୍ରଦ ଉପରେ ନଜର ରଖାଯାଇଛି ବୋଲି ଏନ୍‌ଡିଆରଏଫ୍ ମହାନିର୍ଦ୍ଦେଶକ ଏନ୍‌ଏସ ପ୍ରଧାନ କହିଛନ୍ତି ।

ଅନ୍ୟପକ୍ଷେ ହିମସ୍ଖଳନ ପରେ ପୋତି ହୋଇଯାଇଥିବା ତପୋବନ ଟନେଲରୁ କାଦୁଅ, ପଙ୍କ କାଢ଼ିବା କାର୍ଯ୍ୟ କ୍ରମାଗତ ଷଷ୍ଠ ଦିନ ମଧ୍ୟ ଜାରି ରହିଛି । ଟନେଲରେ ଏବେ ବି କିଛି ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଜୀବିତ ଉଦ୍ଧାର କରିବାକୁ ସ୍ଥାନୀୟ ପ୍ରଶାସନ ସହ ଏନ୍‌ଡିଆରଏଫ୍ ଓ ସେନାର ଯବାନ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଏବେ ସୁଦ୍ଧା ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପତ୍ତା ମିଳିନାହିଁ ।

Comments are closed.