୧୮ ଦିନରେ ଚାଷୀ ଆନ୍ଦୋଳନ: ଜୟପୁର-ଦିଲ୍ଲୀ ରାଜପଥ ଅବରୋଧ କଲେ ଚାଷୀ, କାଲିଠୁ ଅନଶନ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ରାଜସ୍ଥାନ, ପଞ୍ଜାବ, ହରିୟାଣା ସମେତ ଦକ୍ଷିଣ ଭାରତର କିଛି ଅଞ୍ଚଳରୁ ହଜାର ହଜାର ଚାଷୀ ଆଜି ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରିଛନ୍ତି । ଦିଲ୍ଲୀ ଆଡକୁ ଯାଉଥିବା ଚାଷୀମାନଙ୍କୁ ରାଜସ୍ଥାନ-ହରିୟାଣା ସୀମାରେ ପୋଲିସ୍ ଅଟକାଇବା ପରେ ସେମାନେ ରାଜପଥରେ ଧାରଣାରେ ବସିଥିଲେ । ଚାଷୀଙ୍କ ଏହି ଆନ୍ଦୋଳନରେ ସମାଜସେବୀ ତଥା ନର୍ମଦା ବଚାଓ ଆନ୍ଦୋଳନର ମୁଖ୍ୟ ମେଧା ପାଟକର ଓ ସ୍ୱରାଜ ଇଣ୍ଡିଆର ଜାତୀୟ ସଭାପତି ଯୋଗେନ୍ଦ୍ର ଯାଦବ ମଧ୍ୟ ଯୋଗ ଦେଇଥିଲେ । ଚାଷୀମାନଙ୍କୁ ରୋକିବାକୁ ରାପିଡ୍ ଆକ୍ସନ ଫୋର୍ସ ସହ ପ୍ରାୟ ୬୦୦ ପୁଲିସ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଦିଲ୍ଲୀ ଆସିବାରୁ ଚାଷୀଙ୍କୁ ରୋକିବା ଲାଗି ଜୟପୁର-ଦିଲ୍ଲୀ ରାଜପଥରେ ଅନେକ ବ୍ୟାରିକେଡ ଲଗାଯାଇଛି । କେତେକ ଜାଗାରେ ବୋଲ୍ଡରକୁ ମଧ୍ୟ ବ୍ୟାରିକେଡ୍ ଭାବେ ବ୍ୟବହାର କରାଯାଇ ଚାଷୀଙ୍କୁ ଅଟକାଇବାକୁ ଉଦ୍ୟମ କରିଛି ପୋଲିସ୍ । ସେପଟେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ କୃଷକ ସଂଗଠନ ଅଣ୍ଟା ଭିଡିଛନ୍ତି । ଆସନ୍ତାକାଲି ସେମାନେ ଅନଶନ କରିବେ ବୋଲି ବହୁ କୃଷକ ନେତା କହିଛନ୍ତି । ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଚାଷୀଙ୍କ କଠୋର ନିଷ୍ପତ୍ତି ମଧ୍ୟରେ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ବୈଠକ ଡକାଯାଇଛି । ଏହି ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ସହ ଅନ୍ୟ ମନ୍ତ୍ରୀମାନେ ଯୋଗ ଦେଇଛନ୍ତି ।

Comments are closed.