୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆଇଏମଏର ଚିଠି

ନୂଆଦିଲ୍ଲୀ – ଦେଶରେ କୋଭିଡ୍‌-୧୯ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ତୁରନ୍ତ ଆରମ୍ଭ କରିବାକୁ ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛି ।

ଭାରତରେ ଦୈନିକ କରୋନା ମାମଲାରେ କ୍ରମାଗତ ରେକର୍ଡ ବୃଦ୍ଧି ଘଟିଛି । ସୋମବାର ସଂକ୍ରମଣ ପ୍ରଥମ ଥର ଲକ୍ଷେ ଟପିଥିଲା । କ୍ରମାଗତ ତୃତୀୟ ଦିନ ପାଇଁ ଆଜି ବି ୯୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହୋଇଛି । ଆଜି ୯୦,୬୮୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୬,୮୬,୦୪୯କୁ ବୃଦ୍ଧି ପାଇଛି ।
ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖିଥିବା ଚିଠିରେ ଆଇଏମ୍‌ଏ କହିଛି ଯେ, ସମ୍ପ୍ରତି ଦେଶରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ଚାଲିଛି । କରୋନାର ଦ୍ୱିତୀୟ ଲହରୀ ଓ ଦ୍ରୁତଗତିରେ ବଢ଼ୁଥିବା ମାମଲା ଦୃଷ୍ଟିରୁ ଟିକାକରଣକୁ ବ୍ୟାପକ କରିବାକୁ ପଡିବ ଓ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣକୁ ଆଗେଇ ନେବାକୁ ପଡିବ । ଏଥିପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକଙ୍କ ଟିକାକରଣ ପାଇଁ ଅନୁମତି ଦିଆଯିବା ଉଚିତ । ସବୁ ବୟସ ବର୍ଗର ଲୋକଙ୍କୁ ବିନା ପଞ୍ଜିକରଣରେ ଏବଂ ମାଗଣାରେ ଟିକା ଦେବାକୁ ମଧ୍ୟ ଆଇଏମ୍‌ଏ ପ୍ରସ୍ତାବ ଦେଇଛି ।

ଘରୋଇ ହସ୍ପିଟାଲ ସହ ସବୁ ଘରୋଇ ସେକ୍ଟର ଫେମିଲି କ୍ଲିନିକ୍ସମାନଙ୍କୁ ମଧ୍ୟ ଟିକାକରଣ ଅଭିଯାନରେ ସାମିଲ କରିବା ପାଇଁ ମଧ୍ୟ ଆଇଏମଏ ପ୍ରସ୍ତାବ ଦେଇଛି । ଏହାଛଡ଼ା ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିବାକୁ ହେଲେ ଟିକାକରଣ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରିବାକୁ ଆଇଏମଏ କହିଛି ।

Comments are closed.