ବିଜୁ ନିର୍ମାଣ ଶ୍ରମିକ ସଂଘର ବାର୍ଷିକ ଉତ୍ସବ ଓ ବିଜୁ ଜୟନ୍ତୀ ପାଳିତ

ଜ଼ିଲ୍ଲା ର ବିଜୁ ଅନୁରାଗୀ ଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ଜଣେ ସାଲିସ ବିହୀନ ରାଷ୍ଟ୍ରନିତିଜ୍ଞ, ଚିନ୍ତାନାୟକ, ଓଡ଼ିଆ ମାନଙ୍କ ସ୍ବାଭିମାନର ପ୍ରତିକ ଭାବେ ଓଡିଶା ର ଘରେ ଘରେ ପରିଚିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେବଳ ଓଡ଼ିଶାର ଗର୍ବ ଓ ଗୌରବ ନ ଥିଲେ ବରଂ ସେ ଆବାଳ ବୃଦ୍ଧବନିତାଙ୍କ ଅତି ପ୍ରିୟ ଥିଲେ । ସେହି ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଥିଲେ ଶ୍ରମଜୀବୀ । ସେମାନଙ୍କ ପାଇଁ ବିଜୁବାବୁ ଥିଲେ ଜଣେ ଦରଦୀବନ୍ଧୁ । ସେ ସମୟରେ ଶ୍ରମିକମାନଙ୍କ ପାଇଁ ସେ ନେଇଥିବା ପଦକ୍ଷେପ ଜଣେ କର୍ତ୍ତବ୍ୟନିଷ୍ଠ, କରିତକର୍ମା ସୁଶାସକ ହିଁ କରିପାରେ ବୋଲି ବିଜୁ ନିର୍ମାଣ ଶ୍ରମିକ ସଂଘର ବାର୍ଷିକ ଉତ୍ସବ ଓ ବିଜୁ ଜୟନ୍ତୀରେ ଉପସ୍ଥିତ ଅତିଥିଗଣ ମତପ୍ରକାଶ କରିଛନ୍ତି । ସ୍ଥାନୀୟ ନାରୀସେବା ସଦନ ଠାରେ ସଂଘର ବାର୍ଷିକ ଉତ୍ସବ ଓ ବିଜୁ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏହି ଶ୍ରମଜୀବୀ ସମାବେଶକୁ ଉଦବୋଧନ ଦେଇ ଅତିଥ ଗଣ ଏହା ପ୍ରକାଶ କରିଥିଲେ । ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ନାରୀନେତ୍ରୀ ଏବଂ ସଂଘର ଉପଦେଷ୍ଠା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ବିଜୁ ବାବୁଙ୍କୁ ଜଣେ ବିକଳ୍ପ ବିହୀନ ଲୋକପ୍ରିୟ, ଜନନାୟକ ବୋଲି କହି ତାଙ୍କ ସ୍ମୃତିଚାରଣ କରିବା ସହ ବିଜୁବାବୁଙ୍କ କର୍ମମୟ ଜୀବନ ହିଁ ଜନମାନସଙ୍କ ପ୍ରତି ତାଙ୍କର ସନ୍ଦେଶ ଥିଲା ବୋଲି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଭାପତି ବିଜୟ ମହାତି, ବିଶିଷ୍ଟ ଆଇନଜୀବୀ ଆତ୍ରାଣ ମିଶ୍ର ଏବଂ ବିଶିଷ୍ଟ ଶ୍ରମିକ ନେତା ଗୋକୁଲ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶ୍ରମ ଅଧିକାରୀ ସୁମିତ୍ରା ମାଝି ଯୋଗ ଦେଇ ରାଜ୍ୟ ସରକାରଙ୍କ ଶ୍ରମନୀତି ଓ ଶ୍ରମିକମାନଙ୍କୁ ଦିଆଯାଉଥିବା ସହାୟତା ବାବଦରେ ବିସ୍ତାର ଭାବେ ଆଲୋକପାତ କରିଥିଲେ ।

ସଂଘର ସଭାପତି ସୁଧାଶୁ ଶେଖର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶ ସଭା ପ୍ରାରମ୍ଭରେ ମା’ ସମଲେଶ୍ବରୀଙ୍କ ଠାରେ ଦୀପ ପ୍ରଜ୍ବଳନ ସହ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା I ଏହି ଅବସରରେ ଜ଼ିଲ୍ଲା ର ବିଜୁ ଅନୁରାଗୀଙ୍କୁ ସଂଘ ପକ୍ଷରୁ ସମ୍ମାନ ପତ୍ର ପ୍ରଦାନ ସହ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି ସମ୍ବଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ସର୍ବଶ୍ରୀ ବାମଦେବ ଷଡ଼ଙ୍ଗୀ, ଆତ୍ରାଣ ମିଶ୍ର, ସିତ୍ପା ମହାନ୍ତି, ଗୁରୁକିନ୍ଦର କୌର, ଏମ.ଜି ଅଜିମ ଅଳୁ, ଏମ୍.ଡି. ସନାଭଲ୍ଲା, ଅନାଦି ସାହୁ, ଅମୂଲ୍ୟ ମିଶ୍ର, ବିହାରୀଲାଲ ପନସାରି, କୁମାର ଚାନ୍ଦ ରାଉତ, ଗୋପୀରଞ୍ଜନ ବାବୁ, ରାମସାଗର ସାହୁ, ମୂଲିଆ ରାଉତ, ପଦ୍ମାଳୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ । ତେବେ ସଂଘର ଶ୍ରମିକ ଶିରୋମଣୀ ସମ୍ମାନ ଚଳିତ ବର୍ଷ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ଯୋନାଲ ସମ୍ପାଦକ ସଦାଶିବ ବିଶୋଇଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରୁ ନିର୍ମାଣ ଶ୍ରମିକମାନେ ଯୋଗ ଦେଇଥିବା ବେଳେ ସହରର ବହୁ ଗନ୍ୟମାନ୍ୟବ୍ୟକ୍ତି ଉପସ୍ଥିତ ଥିଲେ । ସାଧାରଣ ସଂପାଦକ କୁଲଶେଖର ବାରିକ ସଂଘର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭା ଶେଷରେ ସାମ୍ବାଦିକ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.