ବୁମରାଙ୍କୁ ଟପିଲେ ଚହଲ, ଟି୨୦ରେ ଭାରତର ସର୍ବାଧିକ ୱିକେଟ୍ ହାସଲକାରୀ ହେଲେ

ଅହମ୍ମଦାବାଦ – ପ୍ରଥମ ଟି୨୦ରେ ଭାରତ ପରାସ୍ତ ହୋଇଥିଲେ ହେଁ ସ୍ପିନର ୟୁଜବେନ୍ଦ୍ର ଚହଲ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ସେ ଭାରତ ପାଇଁ ଏହି ଫର୍ମାଟରେ ସବୁଠୁ ସଫଳ ବୋଲର ହୋଇଛନ୍ତି । ପେସର ଯଶପ୍ରୀତ ବୁମରାଙ୍କୁ ଟପି ଚହଲ ଟି୨୦ ଫର୍ମାଟରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି ।

ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଇଂଲଣ୍ଡ ଓପନର ଜୋସ ବଟଲରଙ୍କୁ ଆଉଟ୍ କରି ଏହି ମାଇଲଖୁଣ୍ଟ ଛୁଇଁଥିଲେ । ଏହା ତାଙ୍କ ଟି୨୦ କ୍ୟାରିୟରର ୬୦ତମ ୱିକେଟ୍ ଥିଲା । ଏଥିସହ ଚହଲ ତାଙ୍କ ସାଥୀ ଖେଳାଳି ବୁମରାଙ୍କୁ ଅତିକ୍ରମ କରିଛନ୍ତି । ବୁମରା ୫୦ ମ୍ୟାଚରୁ ୫୯ ୱିକେଟ୍ ନେଇଛନ୍ତି ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମଧ୍ୟ ଚହଲଙ୍କ ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ଏହି ଲେଗ୍ ସ୍ପିନର ୨୦୧୬ ହରାରେ ରେ ଜିମ୍ବାୱେ ବିପକ୍ଷରେ ନିଜ ଟି୨୦ ଡେବ୍ୟୁ କରିଥିଲେ । ସେ ଏଯାବତ୍ ୪୬ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେହିପରି ସେ ୫୪ ଦିନିକିଆରୁ ୯୨ ୱିକେଟ୍ ନେଇଛନ୍ତି ।

ପ୍ରଥମ ଟି୨୦ରେ ଭାରତ ୮ ୱିକେଟରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା । ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ସେହି ଭେନ୍ୟୁରେ ହିଁ ଖେଳାଯିବ ।

Comments are closed.