ଟିଆର୍‌ପି ପାଇଁ ମୋତେ ଅପରାଧୀ କରିଦେଲେ: ଦିଶା ରବି

ବେଙ୍ଗାଲୁୁରୁ – ଟୁଲ୍‌କିଟ୍ ମାମଲାରେ ଗିରଫ ପରେ ଜାମିନରେ ମୁକୁଳିଥିବା ପରିବେଶ କର୍ମୀ ଦିଶା ରବି କହିଛନ୍ତି ଯେ, ନିଜର ଟିଆର୍‌ପି ବଢ଼ାଇବା ପାଇଁ କିଛି ଚ୍ୟାନେଲ ତାଙ୍କୁ ଏହି ମାମଲାରେ ଅପରାଧୀ ଭାବେ ଚିତ୍ରଣ କରିଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦିଶା କହିଛନ୍ତି ଯେ, ଯାହା ସତ ବୋଲି ଲୋକଙ୍କ ଆଗରେ ଉପସ୍ଥାପନ କରାଯାଉଛି, ତାହା ପ୍ରକୃତରେ ସତ ଠାରୁ ବହୁ ଦୂରରେ । ଟୁଲ୍‌କିଟ୍ ମାମଲାରେ ତାଙ୍କ ଗିରଫଦାରୀ ପରେ କିଛି ଟିଭି ଚ୍ୟାନେଲ ତାଙ୍କ ସ୍ୱାଧୀନତା ଛଡ଼ାଇ ନେଇଥିଲେ ବୋଲି ସେ ଅନୁଭବ କରିଥିଲେ । ଟିଆର୍‌ପି ପାଇଁ ଟିଭି ଚ୍ୟାନେଲ ଗୁଡିକ ତାଙ୍କ ଗିରଫଦାରୀକୁ ଅତିରଞ୍ଜିତ କରି ତାଙ୍କୁ ଜଣେ ବଡ଼ ଅପରାଧୀ ଭାବେ ଚିତ୍ରଣ କରିଥିଲେ ।

ଯଦି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସେ କୋଉଠି ଥିବେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇ ଥାଆନ୍ତା, ତେବେ ସେ ‘ଜେଲ୍‌’ ବୋଲି କେବେ ଉତ୍ତର ଦେଇନଥାନ୍ତେ । କିନ୍ତୁ ମୁଁ ପ୍ରକୃତରେ ଜେଲ୍‌ରେ ହିଁ ଥିଲି । ଏହାକୁ ମୁଁ ବିଶ୍ୱାସ କରିପାରୁ ନାହିଁ ବୋଲି ଦିଶା କହିଛନ୍ତି । ତାଙ୍କ ଗିରଫଦାରୀକୁ ଯେଭଳି ଭାବେ ଗଣମାଧ୍ୟମରେ ଉପସ୍ଥାପନ କରାଯାଇଥିଲା ସେନେଇ ଏହି ୨୧ ବର୍ଷୀୟା ପରିବେଶକର୍ମୀ ଟିଭି ଚ୍ୟାନେଲଙ୍କୁ ସମାଲୋଚନା କରିଛନ୍ତି । ତାଙ୍କୁ ସମର୍ଥନ କରିଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଟୁଲ୍‌କିଟ୍ ମାମଲାରେ ଦିଶାଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଫେବୃୟାରୀ ୧୩ରେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ଗିରଫ କରିଥିଲା । ୨୩ ଫେବୃୟାରୀରେ ତାଙ୍କୁ ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିବା ପରେ ସେ ଜେଲରୁ ମୁକୁଳିଥିଲେ । ତାଙ୍କ ଗିରଫଦାରୀ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା ।

Comments are closed.