କେନ୍ଦ୍ର ଅବହେଳାର ଆଉ ଏକ ନମୁନା, ୧୪ ବର୍ଷ ପରେ ବି ଅଧା ବାଟରେ ଡପଲର୍ ରାଡାର୍

ପାଣିପାଗ ସୂଚନାରୁ ବଂଚିତ ପଶ୍ଚିମ ଓଡିଶାର ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ବେ କେନ୍ଦ୍ର ନିରବ

ସମ୍ବଲପୁର : ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଅନେକ ଥର ପୁରସ୍କୃତ ହୋଇସାରିଛନ୍ତି । ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ରଣନୀତିକୁ ସାରା ଦେଶ ତଥା ବିଦେଶ ବି ଅନୁକରଣ କରିବାକୁ ବାଧ୍ୟ ହେଉଛି । ହେଲେ ଏଥିରେ କେନ୍ଦ୍ର ସରକାରଙ୍କ ଅସହଯୋଗର ଆଉ ଏକ ନମୁନା ଚିନ୍ତାର ବିଷୟ ହେଲାଣି । ଆଜକୁ ଦୀର୍ଘ ୧୪ ବର୍ଷ ତଳୁ ଓଡ଼ିଶାର ସମ୍ବଲପୁର ଏବଂ ବାଲେଶ୍ଵରରେ ଦୁଇଟି ଡପଲର ରାଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ ବି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଏପରିକି ସମ୍ବଲପୁରରେ ଆଜକୁ ୬ ବର୍ଷ ହେବ ଚାଲିଥିବା ବିଶାଳ କୋଠା ନିର୍ମାଣ ବି ପ୍ରାୟ ୨ ବର୍ଷ ତଳୁ ଶେଷ ହୋଇଛି । କିନ୍ତୁ , ବର୍ତ୍ତମାନ ସୁଦ୍ଧା ଏଥିପାଇଁ ଆବଶ୍ୟକ ମେସିନ୍ ଖଞ୍ଜା ଯାଉନଥିବାରୁ ଏହି ବିଶାଳ କୋଠା ଏବେ ଭୂତକୋଠିରେ ପରିଣତ ହୋଇଛି । ଫଳରେ ଲୋକଙ୍କୁ ଆଗୁଆ ପାଣିପାଗ ତଥା ପ୍ରାକୃତିକ ବିପର୍ଯ୍ୟୟର ସୂଚନା ଦେବାରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । କେନ୍ଦ୍ରର ଏଭଳି ମନୋଭାବ ପାଇଁ ପଶ୍ଚିମ ଓଡିଶାର ଲକ୍ଷାଧିକ ଚାଷୀ ସଠିକ ପାଣିପାଗ ନେଇ ସୂଚନାରୁ ବଂଚିତ ହେଉଛନ୍ତି !
ଗତ ୨୦୦୬ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ବଲପୁର ଏବଂ ବାଲେଶ୍ଵରରେ ଦୁଇଟି ଡପଲର ରାଡାର କେନ୍ଦ୍ର ସ୍ଥାପନ ପାଇଁ ଯୋଜନା ହୋଇଥିଲା । କୋଲକାତାରେ ଥିବା ଡପଲର ରାଡାରୁ କେବଳ ଉଭର ଓଡିଶାର ପାଣିପାଗ ନେଇ ସଠିକ ଆକଳନ ହୋଇପାରୁଥିବା ବେଳେ ବାଲେଶ୍ବର ଏବଂ ସମ୍ବଲପୁରର କେନ୍ଦ୍ର ଦ୍ଵାରା ସମଗ୍ର ଓଡିଶାର ପୂର୍ବାନୁମାନ ଭଲ ଭାବେ ହୋଇପାରିବ ବୋଲି ଯୋଜନା ପ୍ରସ୍ତୁତ ହୋଇଥିଲା । ୨୦୧୬ ମସିହା ଡିସେମ୍ବର ମାସରେ ତତ୍କାଳୀନ ବିଭାଗୀୟ ସଚିବ ଏମ୍ . ରାଜୀବନ୍ ସମ୍ବଲପୁରର ଡପିଲିର ରାଡାର କେନ୍ଦ୍ର ସ୍ଥାପନ ନେଇ ଘୋଷଣା ବି କରିଥିଲେ । ହେଲେ ଏହାର ପ୍ରାୟ ୨ ବର୍ଷ ପୂର୍ବରୁ ସମ୍ବଲପୁର ସହର ଉପକଣ୍ଠ ଜମାଦାରପାଲି ନିକଟରେ ଏଥିପାଇଁ ଜମି ଚିହ୍ନଟ ହୋଇ ନିର୍ମାଣ କାମ ଆରମ୍ଭ ହୋଇସାରିଥିଲା । ଦୀର୍ଘ ୬ ବର୍ଷରୁ ଉର୍ଷ ଧରି ଏହାର ନିର୍ମାଣ କାମ ବି ଚାଲିଥିଲା । ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ପାଚେରୀ ସହିତ ବିଶାଳ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କାମ ବର୍ଷାଧିକ ସମୟ ତଳୁ ଶେଷ ହୋଇସାରିଛି । ହେଲେ ବର୍ତ୍ତମାନ ସୁଦ୍ଧା ଏଥିରେ ଆବଶ୍ୟକ ଯନ୍ତ୍ରପାତି ଲାଗି ପାରିନାହିଁ । ଫଳରେ ଏହା ଭୂତକୋଠି ଭାବେ ପଡି ରହିଛି । ଆଉ କେବେ କାର୍ଯ୍ୟକ୍ଷମ ହେବ ତାହାର ଉତ୍ତର କାହାରି ପାଖରେ ନାହିଁ । କେନ୍ଦ୍ର ସରକାରଙ୍କ ପାଣିପାଗ ବିଭାଗ ଅଧୀନରେ ଥିବା ଏହି ପ୍ରକଳ୍ପ ସଂକ୍ରାନ୍ତରେ ଏଠାରୁ ସୂଚନା ଦେବାକୁ ବି କେହି ନାହାନ୍ତି । ସେପଟେ , ବର୍ଷକ ତଳେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡ . ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସମ୍ବଲପୁର ଡପଲର ରାଡାର୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଥିଲେ । ସେହିପରି ୨ ବର୍ଷ ତଳୁ ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଥିଲେ । ଫଳରେ ଚାଷୀ ସଠିକ ପାଣିପାଗ ସୂଚନା ପାଇବାରୁ ବଞ୍ଚିତ ହେବା ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବାରମ୍ବାର ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ପଶ୍ଚିମ ଓଡିଶାରେ ଖରାଦିନରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଅନେକ ଲୋକଙ୍କ ଜୀବନ ନେଉଥିବା ବେଳେ ମଇ ଶେଷ ସପ୍ତାହରୁ ଜୁଲାଇ ମାସ ମଧ୍ୟରେ ହେଉଥିବା ଭୟଙ୍କର ବଢ଼ାଘାତ ବି ଅନେକ ପ୍ରାଣହାନୀର କାରଣ ସାଜୁଛି । ତେବେ , ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ଅନ୍ତତଃପକ୍ଷେ ଲୋକଙ୍କୁ ଆଗୁଆ ସତର୍କ ସୂଚନା ମିଳିପାରିବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଏଭଳି ଅବହେଳାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ତେଜିବାରେ ଲାଗିଛି ।

Comments are closed.