ଭୁବନେଶ୍ୱର- ଓଡିଶାରେ କୋରୋନା ମହାମାରୀକୁ ଏକ ବର୍ଷ ପୂରିଛି । ଗତବର୍ଷ ଆଜିର ଦିନରେ ଓଡିଶାରେ ଚିହ୍ନଟ ହୋଇଥିଲେ ପ୍ରଥମ କୋରୋନା ରୋଗୀ । ଭୁବନେଶ୍ୱରର ବଡଗଡ ଅଂଚଳର ଜଣେ ଯୁବକ ଇଟାଲୀରୁ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ । କ୍ୟାପିଟାଲ ହସପିଟାଲରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।
ତେବେ ରାଜ୍ୟରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପୂର୍ବରୁ ନବୀନ ସରକାର ମହାମାରୀର ଭୟାବହତା ଅନୁମାନ କରି ଏକାଧିକ ସତର୍କତାମୂଳକ ପଦକ୍ଷେପ ନେଇଥିଲେ । ଗତବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ କୋରୋନା ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ରାଜ୍ୟ ସରକାର । ମାର୍ଚ୍ଚ ୧୩ ତାରିଖରେ କୋଭିଡକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ସରକାର । ମାର୍ଚ୍ଚ ୨୧ରୁ ଘୋଷଣା ହୋଇଥିଲା ସଟଡାଉନ୍ । କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରାକ୍ ସକ୍ରିୟତା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଥିଲା ।
କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାରମାନେ ଓଡିଶା ସରକାରଙ୍କ ପଦାଙ୍କ ଅନୁସରଣ କରି ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଇଥିଲେ । ମହାମାରୀ ବିରୋଧୀ ଲଢେଇ ପାଇଁ ତୃଣମୂଳସ୍ତରରୁ ହିଁ ବିଭିନ୍ନ ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଥିଲା । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ଦୃଢ ଓ ସଠିକ ପଦକ୍ଷେପ ଯୋଗୁଁ ହିଁ ଓଡିଶାରେ କୋରାନା ମହାମାରୀକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଛି ।ତଥାପି ରାଜ୍ୟରୁ କୋରୋନା ଭୟ ସଂପୂର୍ଣ୍ଣ ଦୂର ହୋଇନାହିଁ । ଦ୍ୱିତୀୟ ପର୍ଯ୍ୟାୟ ଆଶଙ୍କା ଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ନିୟମ ମାନି ଚଳିଲେ ଲକଡାଉନ ଭଳି ସ୍ଥିତିର ସାମନା କରିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି ।
Comments are closed.