ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ, କରୋନା ସଂକ୍ରମଣର ଦ୍ୱିତୀୟ ଲହରୀକୁ ରୋକିବାକୁ ପଡିବ

ନୂଆଦିଲ୍ଲୀ – ଦେଶରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ନିର୍ଣ୍ଣାୟକ ପଦକ୍ଷେପ ଦରକାର । ସମ୍ଭାବ୍ୟ ଦ୍ୱିତୀୟ ଲହରୀକୁ ରୋକିବା ପାଇଁ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ । ଦେଶରେ କରୋନା ସ୍ଥିତି ଉପରେ ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।

ମୋଦି କହିଛନ୍ତି ଯେ, ଯଦି ଏବେ ଆମେ ମହାମାରୀକୁ ରୋକିବାକୁ ପଦକ୍ଷେପ ନ ନେବା, ତେବେ ଦେଶବ୍ୟାପୀ ପୁଣି ସଂକ୍ରମଣ ବ୍ୟାପିଯିବ । ମାଡି ଆସୁଥିବା କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ତ୍ୱରିତ ଓ ନିର୍ଣ୍ଣାୟକ ପଦକ୍ଷେପ ଆବଶ୍ୟକ । ଟେଷ୍ଟିଂ ବଢ଼ାଇବା ସହ ଟେଷ୍ଟିଂ,ଟ୍ରାକ୍‌, ଟ୍ରିଟ୍‌’ ରଣନୀତି ଆପଣାଇବାକୁ ମୋଦି ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଗତ ଏକ ବର୍ଷ ଧରି ଆମେ ଏହି ରଣନୀତି ସହ ସଫଳ ହୋଇଥିଲୁ ବୋଲି ମୋଦି କହିଛନ୍ତି । ଆଣ୍ଟିଜେନ୍ ଟେଷ୍ଟ ଅପେକ୍ଷା ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଅଧିକ ଆରଟି-ପିସିଆର ଟେଷ୍ଟ କରିବାକୁ ମୋଦି ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି । ଆରଟି-ପିସିଆର ଟେଷ୍ଟ ସଂଖ୍ୟା ୭୦ ପ୍ରତିଶତରୁ ଅଧିକ ରହିବା ଉଚିତ ବୋଲି ସେ କହିଛନ୍ତି ।

କରୋନା ବିରୋଧୀ ଲଢ଼େଇରେ ଟିକା ଏକ ପ୍ରଭାବୀ ଅସ୍ତ୍ର । ଦେଶରେ ଟିକାକରଣ ଗତି ବଢ଼ିଛି । ଦିନକରେ ୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ତେବେ କିଛି ରାଜ୍ୟରେ ଟିକା ଅପଚୟ ହେଉଥିବା ଖବର ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଟିକା ଅପଚୟ ରୋକିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି । ଛୋଟ ସହର ଗୁଡିକରେ ଟେଷ୍ଟିଂ ବଢ଼ାଇବା ସହ ରେଫରାଲ୍ ସିଷ୍ଟମ ଏବଂ ଆମ୍ବୁଲାନ୍ସ ନେଟୱର୍କକୁ ବି ବଢ଼ାଇବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କରୋନା ମୁକାବିଲା କ୍ଷେତ୍ରରେ ଆମେ ଯେଉଁ ଆତ୍ମବିଶ୍ୱାସ ହାସଲ କରିଛୁ, ତାହା ଯେଭଳି ଦାୟିତ୍ୱହୀନତାରେ ପରିଣତ ନ ହୁଏ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ମୋଦି ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ ଏହି ଭର୍ଚୁଆଲ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବି ଉପସ୍ଥିତ ଥିଲେ । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ୍ ବୈଠକରେ ଯୋଗ ଦେଇନଥିଲେ ।

Comments are closed.