ସମ୍ବଲପୁର ରୋଡ ଷ୍ଟେସନ ବନ୍ଦ ପ୍ରତିବାଦରେ ତେଜିଲା ଆନ୍ଦୋଳନ

ରେଳ ରୋକ କରି ଲୋକଙ୍କ ପ୍ରତିବାଦ

ସମ୍ବଲପୁର: ସମ୍ବଲପୁର ରୋଡ ରେଳ ଷ୍ଟେସନ ବନ୍ଦ ପ୍ରତିବାଦରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କଲାଣି । ଲୋକଙ୍କ ବିରୋଧ ସତ୍ତ୍ବେ ଆସନ୍ତା ୧ ତାରିଖରୁ ଷ୍ଟେସନକୁ ସ୍ଥାୟୀ ଭାବେ ବନ୍ଦ ଘୋଷଣା କରିଥିବାରୁ ଆଜି ସହରର ବହୁ ସଂଗଠନ ଏବଂ ସ୍ଥାନୀୟ ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫାଟକ ଷ୍ଟେସନରେ ରେଳରୋକ କରିଛନ୍ତି । ଦୋକାନ ବଜାର ବନ୍ଦ କରି ଧାରଣା ରେ ବସିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପାଳନ ଚାଲିଥିବା ବେଳେ ତାଙ୍କ ସ୍ମୁତିବହନ କରିଥିବା ସମ୍ବଲପୁର ରୋଡ ଷ୍ଟେସନକୁ ରେଳବାଇ ବନ୍ଦ କରିବାକୁ ଯାଉଛି । ଏହାକୁ ନେଇ କିଛିଦିନ ହେଲା ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସହରର ବିଭିନ୍ନ ସଂଗଠନ ଏବଂ ବିଜେପି ବ୍ୟତୀତ ସମସ୍ତ ରାଜନୈତିକ ଦଳ ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଏନେଇ କିଛିଦିନ ତଳେ ଡିଆରଏମଙ୍କ ସହ ନାଗରିକ କମିଟିର ବୈଠକରେ ଷ୍ଟେସନ ବନ୍ଦ ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ ରଖାଯିବ ବୋଲି ଖୋଦ୍ ଡିଆରଏମ୍ ପ୍ରତିଶ୍ରୁତି ଦେଇଥିଲେ । ହେଲେ ମାତ୍ର ଦୁଇଦିନ ପରେ ଆସନ୍ତା ୧ ତାରିଖରୁ ବନ୍ଦ କରିବାକୁ ରେଳବାଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ପରେ ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଆଜି ନାଗରିକ କମିଟିର ଆହ୍ବାନରେ ସ୍ଥାନୀୟ ଅଞ୍ଚଳର ଦୋକାନ ବଜାର ବନ୍ଦ କରି ରେଳରୋକ କରାଯାଇଛି । ସେହିପରି ବହୁ ସଂଗଠନର କର୍ମକର୍ତା ଗଣଧାରଣାରେ ସାମିଲ ହୋଇଛନ୍ତି । ରୋଡ ଷ୍ଟେସନ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆସନ୍ତା ୧ରେ ଡିଆରଏମ୍ ଅଫିସ ଘେରାଉ ସହ ମାନବ ଶ୍ରୁଙ୍ଖଳରେ ପ୍ରତିବାଦ କରିବାକୁ ନାଗରିକ କମିଟି ଘୋଷଣା କରିଛି ।

Comments are closed.