ସମ୍ବଲପୁର ରୋଡ଼୍ ଷ୍ଟେସନ୍ ଉଚ୍ଛେଦ ପ୍ରସଙ୍ଗ: ସାଂଘାତିକ ଅଡୁଆରେ ଜିଲ୍ଲା ବିଜେପି, ଦଳୀୟ ନେତାଙ୍କ ଅସମ୍ଭବ ନିରବତା ନେଇ ତେଜୁଛି ଅସନ୍ତୋଷ

ସମ୍ବଲପୁର : ଚଳିତବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ଚାଲିଛି । ଓଡ଼ିଶାରେ ବାପୁଙ୍କ ସ୍ମୁତି ବହନ କରୁଥିବା ପ୍ରତ୍ୟେକ ସ୍ଥାନର ସଂରକ୍ଷଣ ନେଇ ପଦକ୍ଷେପ ନିଆଯାଉଛି । ହେଲେ ଖୋଦ୍ ରାଷ୍ଟ୍ରାୟତ୍ତ ସଂସ୍ଥା ରେଳବାଇ ସମ୍ବଲପୁରରେ ବାପୁଙ୍କ ସ୍ମୃତିକୁ ମାଟିରେ ମିଶାଇ ଦେବା ଭଳି ପଦକ୍ଷେପ ନେଉଛି । ଶତାଧିକ ବର୍ଷର ଐତିହ୍ୟ ଜଡିତ ଥିବା ସମ୍ବଲପୁର ରୋଡ ଷ୍ଟେସନକୁ ରେଳବାଇ ବନ୍ଦ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେଇଛି । ଏହାର ବିରୋଧରେ ସାରା ସମ୍ବଲପୁର ଏକଜୁଟ୍ ହୋଇ ଆନ୍ଦୋଳନକୁ ଓହ୍ଲାଇଛି । ଏଥିରେ ସବୁ ରାଜନୈତିକ ଦଳ ବି ସାମିଲ ହୋଇଛନ୍ତି । ହେଲେ ମାଟି ଆଗରେ ପାଟି ତୁଛି ବୋଲି ନାରା ଦେଉଥିବା ସମ୍ବଲପୁର ଜିଲ୍ଲାର ବିଜେପି ନେତାମାନେ କିନ୍ତୁ , ଏହି ଆନ୍ଦୋଳନ ତଥା ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିବା ଚର୍ଚ୍ଚାର ବିଷୟ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ଦଳର ଜିଲ୍ଲାର ନେତାଙ୍କ ଅସମ୍ଭବ ନିରବତା ଏବେ ଚର୍ଚ୍ଚାକୁ ବଢାଇ ଦେଇଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ସବୁ ନେତା ସାଂଘାତିକ ଅଡୁଆରେ ପଡିଛନ୍ତି ।

ସମ୍ବଲପୁର ରୋଡ଼୍ ଷ୍ଟେସନ୍ ସହିତ ପ୍ରତିଟି ସମ୍ବଲପୁରିଆଙ୍କ ଭାବାବେଗ ଜଡିତ ରହିଛି । ପୂର୍ବରୁ ଯେତେଥର ଏହାର ଉଚ୍ଛେଦ ନେଇ ପଦକ୍ଷେପ ନିଆଯାଇଛି , ସେତେଥର ଏହାକୁ ଦଳମତ ନିର୍ବିଶେଷରେ ବିରୋଧ କରାଯାଇଛି । ଏହି ଷ୍ଟେସନ୍‌ରେ ବିଳମ୍ବିତ ରାତିରେ ବି ଓହ୍ଲାଉଥିବା ଯାତ୍ରୀ ସୁରକ୍ଷିତ ଭାବେ ନିଜ ଘରକୁ ଫେରି ପାରୁଛି । ହେଲେ ବିକାଶ ନାଁରେ ଏହି ଷ୍ଟେସନ୍‌ରୁ ଉଚ୍ଛେଦକୁ ସମ୍ବଲପୁରବାସୀ ଆଦୌ ବରଦାସ୍ତ କରିପାରୁନାହାନ୍ତି । ଏହାର ବିରୋଧରେ ସମ୍ବଲପୁରର ସମସ୍ତ ସାମାଜିକ , ସାଂସ୍କୃତିକ ସଂଗଠନ ସମେତ ବିଜେଡି , କଂଗ୍ରେସ , ବାମଦଳରୁ ଆରମ୍ଭ କରି ଆମ୍ ଆଦମୀ ପାର୍ଟି ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇ ସାରିଛନ୍ତି ।

ହେଲେ କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ଏହି ଷ୍ଟେସନକୁ ବନ୍ଦ ନେଇ ହୋଇଥିବା ନିଷ୍ପତି ପ୍ରତିବାଦରେ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିବା ଜିଲ୍ଲା ବିଜେପି କିନ୍ତୁ , ବର୍ତ୍ତମାନ କରିଛଡା ଦେଇସାରିଛି । ଏ ପର୍ଯ୍ୟନ୍ତ ମାଟି ଅପେକ୍ଷା ପାର୍ଟିକୁ ଅଗ୍ରାଧିକାର ଦେବା ନ୍ୟାୟରେ ଲୋକଙ୍କ ଭାବାବେଗ ଜଡିତ ଥିବା ପ୍ରସଙ୍ଗରେ ମଧ୍ୟ ଦଳୀୟ ନେତା ପଳାୟନପନ୍ଥୀ ଭାବେ ଧରାଛୁଆଁ ଦେଉନଥିବା ଆଲୋଚନା ହେଉଛି । କିଛିଦିନ ତଳେ ରାଜ୍ୟର ଶାସକ ବିଜେଡି ପକ୍ଷରୁ ଏହି ଷ୍ଟେସନ୍ ଉଚ୍ଛେଦ ପ୍ରତିବାଦରେ ଧାରଣା ଦିଆଯାଇଥିଲା । ସେହିପରି ନାଗରିକ କମିଟି ପକ୍ଷରୁ ଚାଲିଥିବା ସବୁ ଆନ୍ଦୋଳନରେ ମଧ୍ୟ ସବୁ ରାଜନୈତିକ ଦଳ ସାମିଲ ହେଉଥିବା ଦେଖିବାକୁ ମିଳିଛି । ହେଲେ ବିଜେପିର ସ୍ଥାନୀୟ ୨ ବିଧାୟକ କିମ୍ବା ଦଳର କୌଣସି ଜିଲ୍ଲାସ୍ତରୀୟ ନେତାଙ୍କୁ ଆଦୌ ଦେଖିବାକୁ ମିଳୁନାହିଁ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଏହାଦ୍ଵାରା ଜିଲ୍ଲା ବିଜେପି ବି ଘୋର ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛି ।

ରେଳବାଇ କେନ୍ଦ୍ର ସରକାରଙ୍କ ସଂସ୍ଥା ହୋଇଥିବାରୁ ବିଜେପି ମୁହଁ ଖୋଲୁନଥିବା ନେଇ ସାଧାରଣରେ ମତପ୍ରକାଶ ପାଇଛି । ଅପରପକ୍ଷେ , ଗତକାଲି ଦିନତମାମ ଏହାକୁ ନେଇ ସମ୍ବଲପୁର ଅଶାନ୍ତ ହୋଇଉଠିଥିବା ବେଳେ ସବୁ ସଂଗଠନର କର୍ମକର୍ତ୍ତା ଏବଂ ରାଜନୈତିକ ଦଳର ନେତା ବି ଉପସ୍ଥିତ ଥିଲେ । ହେଲେ ଲୋକଙ୍କ ସ୍ବାର୍ଥ ପାଇଁ ଲଢେଇ କରୁଥିବା ନେଇ ଦ୍ୱାହୀ ଦେଉଥିବା ବିଜେପି ନେତାଙ୍କୁ କିନ୍ତୁ ଦେଖିବାକୁ ମିଳିନଥିଲା ।

ତେବେ , ଏହି ପ୍ରସଙ୍ଗକୁ ନେଇ ଦଳ ମଧ୍ୟରେ ବି ଅର୍ନ୍ତଦ୍ବନ୍ଦ୍ବ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଲାଣି । କିଛି ନେତାଙ୍କ ଏହି ପ୍ରସଙ୍ଗରେ ଜନମତ ସହ ସାମିଲ ହୋଇ ଷ୍ଟେସନ୍ ଉଚ୍ଛେଦକୁ ବିରୋଧ କରିବାକୁ ମତ ରଖୁଥିବା ବେଳେ ଦଳୀୟ ଶୀର୍ଷ ନେତା ଏଥିପାଇଁ ସବୁଜ ସଙ୍କେତ ଦେଉନାହାନ୍ତି ବୋଲି ଆଲୋଚନା ହେଉଛି । ଫଳରେ ପାର୍ଟିର ସ୍ଵାର୍ଥ ଆଗରେ ମାଟିର ସ୍ଵାର୍ଥ କଥାକୁ ବି ଅଣଦେଖା କରିବାକୁ ଦଳୀୟ ନେତା ବାଧ୍ୟ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ମୋଟ୍ ଉପରେ କହିବାକୁ ଗଲେ , ଜିଲ୍ଲା ବିଜେପି ଏହି ପ୍ରସଙ୍ଗରେ ଆଗାମୀ ଦିନରେ ହେବାକୁ ଥିବା ମହାନଗର ନିଗମ ନିର୍ବାଚନରେ ଘୋର ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ଯାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Comments are closed.