ଜମ୍ମୁ: ଘାଟି ତଳକୁ ଖସିଲା ବସ୍, ୧୨ ମୃତ

ଜମ୍ମୁ: ଜମ୍ମୁର ପୁଞ୍ଚରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ପୁଞ୍ଚ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଜମ୍ମୁ ଡିଭିଜନର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟ ସବଜିଆନ୍ ଅଞ୍ଚଳରେ ଏକ ବସ୍ ଘାଟି ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତ ଆଉ ୬ ଜଣ ଯାତ୍ରୀ ଡାକ୍ତରଖାନାକୁ ନେବା ବାଟରେ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ପ୍ରାୟ ୨୩ ଜଣ ଯାତ୍ରୀ ଆହତ ହୋଇଥିବା କୁହାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଜମ୍ମୁ ଉପରାଜ୍ୟପାଳ ମନୋଜ ସିହ୍ନା ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ପୋଲିସ କହିଛି ଯେ ପୁଞ୍ଚର ସବଜିୟାନ୍ ଅଞ୍ଚଳ ଦେଇ ଯାଉଥିବା ବସ୍ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସେନା, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଅଛନ୍ତି।

Comments are closed.