ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗବବାଡି ଶିଶୁଙ୍କୁ ନୂଆ ୟୁନିଫର୍ମ ପୋଷାକ ବିତରଣ

ଭୁବନେଶ୍ୱର – ଗାନ୍ଧି ଜୟନ୍ତୀ ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଅଙ୍ଗନବାଡିରେ ପ୍ରାକ-ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ଶିଶୁମାନଙ୍କୁ ଚଳିତ ବର୍ଷ ପାଇଁ ଦୁଇ ଯୋଡା ୟୁନିଫର୍ମ ପୋଷାକ ବିତରଣ କରାଯାଇଛି ।

ରାଜ୍ୟ ସରକାରଙ୍କ ‘ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ’ ପରିଧାନ ଯୋଜନାରେ ଏହି ୟୁନିଫର୍ମ ପୋଷାକ ଦିଆଯାଇଛି । ଅଙ୍ଗନବାଡି କେନ୍ଦ୍ରରେ ଶିକ୍ଷାଲାଭ ପାଇଁ ଆସୁଥିବା ୩ରୁ ୬ ବର୍ଷ ବୟସର ଶିଶୁମାନେ ଏହି ଯୋଜନାରେ ଉପକୃତ ହେଉଛନ୍ତି ।

ସମସ୍ତ ଜିଲ୍ଲାର ୧୪. ୮୩ ଲକ୍ଷ ଶିଶୁ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । ରାଜ୍ୟର ୬୧ ହଜାର ୪୦ଟି ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ପାଇଁ ନିର୍ଧାରିତ ନୀଳ ରଂଗର ପ୍ୟାଂଟ୍ ଓ ଗୋଲାପୀ ରଂଗର ସାର୍ଟ ବିତରଣ କରାଯାଇଛି । ଏହି ୟୁନିଫର୍ମ ପୋଷାକ ତିଆରି ପାଇଁ ସାରା ରାଜ୍ୟର ୧ ହଜାର ୩୪୪ଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଥିଲା ।

ନିର୍ଧାରିତ ସମୟସୀମା ମଧ୍ୟରେ ଏହି ପୋଷାକ ପ୍ରସ୍ତୁତି ପାଇଁ ବିଭାଗ ଦ୍ୱାରା ଯଥେଷ୍ଟ ଆଗରୁ ଅର୍ଡର ଦିଆଯିବା ସହ ନିୟମିତ ସମୀକ୍ଷା କରାଯାଉଥିଲା । ଆଜି ବିଭିନ୍ନ ଅଂଗନାବାଡି କେନ୍ଦ୍ରରେ ଗାନ୍ଧି ଜୟନ୍ତୀ ପାଳନ ସହ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments are closed.