ଅଷ୍ଟ୍ରେଲିଆ ଗସ୍ତ: ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ଫେରିବେ କୋହଲି, ରୋହିତ ଟେଷ୍ଟ ଦଳରେ ସାମିଲ

ନୂଆଦିଲ୍ଲୀ – ବାପା ହେବାକୁ ଥିବା ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ବିସିସିଆଇ ପିତୃତ୍ୱ ବିରତି (ପାଟରନିଟି ଲିଭ୍‌) ମଞ୍ଜୁର କରିଛି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପରେ କୋହଲି ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ଭାରତ ଫେରିଆସିବେ । ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ସିରିଜର ପ୍ରଥମ ଟେଷ୍ଟ ଡିସେମ୍ବର ୧୭ରୁ ଆରମ୍ଭ ହୋଇ ଡିସେମ୍ବର ୨୧ରେ ଶେଷ ହେବ । କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରୀରେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବା ଆଶା କରାଯାଉଛି । ତେବେ ସିରିଜର ଅବଶିଷ୍ଟ ଟେଷ୍ଟ ପାଇଁ କୋହଲି ଅଷ୍ଟ୍ରେଲିଆ ଫେରିବେ କି ନାହିଁ ବିସିସିଆଇ ତାହା ସ୍ପଷ୍ଟ କରିନାହିଁ ।

ଭାରତ-ଅଷ୍ଟ୍ରେଲିଆ ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଡିସେମ୍ବର ୧୭ରୁ ଜାନୁଆରୀ ୧୯ ପର୍ଯର୍୍ୟନ୍ତ ଖେଳାଯିବ । ତିନୋଟି ଯାକ ଫର୍ମାଟ ପାଇଁ ଘୋଷିତ ଦଳରେ ଚୟନ କମିଟି କିଛି ପରିବର୍ତ୍ତନ କରିଛି । ଆଘାତ ସମସ୍ୟା ପାଇଁ ପ୍ରଥମେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଥିବା ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି ।

ଅନ୍ୟପକ୍ଷେ ତିନି ମ୍ୟାଚ୍ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ଏକମାତ୍ର ନୂଆ ମୁହଁ ବରୁଣ ଚକ୍ରବର୍ତ୍ତି କାନ୍ଧରେ ଆଘାତ କାରଣରୁ ବାଦ୍ ପଡିଛନ୍ତି । ବରୁଣଙ୍କ ସ୍ଥାନରେ ଚୟନକର୍ତ୍ତା ବାମହାତୀ ପେସର ଟି.ନଟରାଜନଙ୍କୁ ଟି୨୦ ଦଳରେ ସାମିଲ କରିଛନ୍ତି । ନଟରାଜନ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ । ଚୟନ କମିଟି ସଞ୍ଜୁ ସାମସନଙ୍କୁ ଅତିରିକ୍ତ ୱିକେଟକିିପର ଭାବେ ଦିନିକିଆ ଦଳରେ ସାମିଲ କରିଛି ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା ବେଳେ ରୋହିତଙ୍କୁ ବାଦ୍ ଦେବା ନେଇ ବିବାଦ ସୃଷ୍ଟି ହୋଇଥିଲା । ହେଲେ ରୋହିତ ଆଇପିଏଲର ଶେଷ ଲିଗ୍ ମ୍ୟାଚ୍ ଓ ପ୍ଲେ ଅଫରେ ଖେଳିବା ପରେ ବିସିସିଆଇ ସମାଲୋଚିତ ହୋଇଥିଲା । ବିସିସିଆଇ ମେଡିକାଲ ଟିମ୍ ର ରିପୋର୍ଟ ପାଇବା ପରେ ଚୟନ କମିଟି ରୋହିତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଦଳରେ ସାମିଲ କରିବାକୁ ନିଷ୍ପତ୍ତିି ନେଇଛି । ତାଙ୍କୁ ଦିନିକିଆ ଓ ଟି୨୦ ସିରିଜରୁ ବିଶ୍ରାମ ଦିଆଯିବ ।

ୱିକେଟକିପର ରିଦ୍ଧିମାନ ଶାହା ନଭେମ୍ବର ୩ରେ ଆଇପିଏଲ୍ ମ୍ୟାଚ୍ ବେଳେ ଆହତ ହୋଇଥିଲେ । ଅଷ୍ଟ୍ରେଳିଆ ଗସ୍ତ ପାଇଁ ସେ ଉପଲବ୍ଧ ହେବେ କି ନାହିଁ ସେନେଇ ପରେ ନିଷ୍ପତ୍ତି ନିଆଯିବ । ସେହିପରି ସିନିୟର ପେସର ଈଶାନ୍ତ ଶର୍ମାଙ୍କ ଫିଟନେସ୍ ଉପରେ ନଜର ରଖାଯାଇଛି । ସେ ପୂରା ଫିଟ୍ ହେଲେ ତାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯିବ ।

ପରିବର୍ତ୍ତିତ ଭାରତୀୟ ଦଳ:
ଟି୨୦ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ (ଉପଅଧିନାୟକ/ୱିକେଟକିପର), ଶ୍ରେୟାସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଦୀପକ ଚହର, ଟି.ନଟରାଜନ ।
ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, କେଏଲ ରାହୁଲ (ଉପଅଧିନାୟକ/ୱିକେଟକିପର), ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ସଞ୍ଜୁ ସାମସନ ।
ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ’, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା (ୱିକେଟକିପର), ରିଷଭ ପନ୍ତ (ୱିକେଟକିପର), ଯଶପ୍ରୀତ ବୁମରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର.ଅଶ୍ୱିନ, ମହମ୍ମଦ ସାମି ।

Comments are closed.