ମାତୃଭାଷାର ପ୍ରଚାର ଓ ପ୍ରସାର ପାଇଁ ସାଂସଦମାନଙ୍କୁ ଉପ ରାଷ୍ଟ୍ରପତିଙ୍କ ଅପିଲ

ନୂଆଦିଲ୍ଲୀ – ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବ୍ୟବହିତ ପୂର୍ବରୁ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ ଶନିବାର ସଂସଦର ସଦସ୍ୟମାନଙ୍କୁ ଭାରତୀୟ ଭାଷାର ପ୍ରଚାର ଓ ପ୍ରସାରରେ ସହଯୋଗ କରିବାକୁ ଆହ୍ବାନ କରିଛନ୍ତି। ସର୍ବ ପ୍ରଥମେ ଶିଖାଯାଉଥିବା ଏବଂ କୁହାଯାଉଥିବା ମାତୃଭାଷାକୁ ‘ଜୀବନର ପ୍ରାଣ’ ବୋଲି ସେ ବର୍ଣ୍ଣନା କରିଛନ୍ତି ଏବଂ ଇମେଲ ଦ୍ୱାରା ପଠାଯାଇଥିବା ତିନି ପୃଷ୍ଠାର ଚିଠିରେ ଏହି ଭାଷାଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟସଭାର ଅଧ୍ୟକ୍ଷ କହିଛନ୍ତି ଯେ ମାତୃଭାଷା ଜଣେ ଶିଶୁ ପାଇଁ ବିଶ୍ୱର ପ୍ରଥମ ଝରକା ସଦୃଶ ହୋଇଥାଏ । ଘରେ ଶିଖାଯାଇଥିବା ପ୍ରଥମ ଭାଷା ଶିକ୍ଷାଗତ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ଏବଂ ଦ୍ୱିତୀୟ ଭାଷା ଶିକ୍ଷାକୁ ସହଜ କରିଥାଏ | ଏହାର ଅନେକ ପ୍ରମାଣ ଅଛି ।

ନାଇଡୁ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାଷାଭିତ୍ତିକ ପ୍ରତିବନ୍ଧକକୁ ଦୂର କରି ପିଲାମାନଙ୍କର ସୃଜନଶୀଳ ଦକ୍ଷତାକୁ ବୃଦ୍ଧି କରିବାର ସୁଯୋଗ ଦିଆଯାଉ। ଫେବୃଆରୀ ୨୧ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ | ଉପରାଷ୍ଟ୍ରପତି ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ବିଭିନ୍ନ ଭାରତୀୟ ଭାଷା ଏବଂ ଇଂରାଜୀରେ ମେଲ କରିଛନ୍ତି।

ସେ କହିଛନ୍ତି, ଭାଷା ଏବଂ ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଭାଷା ସମୃଦ୍ଧ ଜ୍ଞାନ ଏବଂ ପରମ୍ପରାକୁ ରୂପ ଦେଇଥାଏ | ଯଦି ଏକ ଭାଷାର ଅବସାନ ହୁଏ, ତେବେ ଏକ ଜାତି ଓ ସଂସ୍କୃତିର ବି ବିଲୋପ ଘଟିଥାଏ | ଏଭଳି ଘଟିବାକୁ ଆମେ ଅନୁମତି ଦେଇ ପାରିବୁ ନାହିଁ। ନାଇଡୁ କହିଛନ୍ତି ଯେ ଦେଶର ସମୃଦ୍ଧ ସାଂସ୍କୃତିକ ବିବିଧତା ରକ୍ଷା କରିବା ପାଇଁ ମାତୃଭାଷାକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ନାଇଡୁ କହିଛନ୍ତି ।

Comments are closed.