ରାହୁଲ, ମନମୋହନଙ୍କ ଉପରେ ଟିପ୍ପଣୀ ନେଇ ଓବାମାଙ୍କ ବିରୋଧରେ ଏଫ୍ଆଇଆର୍ ଦାବି; କୋର୍ଟରେ ଦାୟର କରାଗଲା ପିଟିସନ

ନୂଆଦିଲ୍ଲୀ – ରାହୁଲ ଗାନ୍ଧୀ ଓ ମନମୋହନ ସିଂଙ୍କ ଉପରେ ଟିପ୍ପଣୀ ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ଦାବି କରି ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରାଯାଇଛି। ଅଲ ଇଣ୍ଡିଆ ଗ୍ରାମୀଣ ବାର ଆସୋସିଏସନର ରାଷ୍ଟ୍ରୀୟ ସଭାପତି ଜୟନ ପ୍ରକାଶ ଶୁକ୍ଲା ଲାଲଗଞ୍ଜ ସିଭିଲ କୋର୍ଟରେ ଓବାମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଓବାମାଙ୍କ ପୁସ୍ତକ ସହ ଜଡିତ । ଡିସେମ୍ବର ପହିଲାରେ ଏହାର ଶୁଣାଣି ହେବ ।

ଜୟନ ପ୍ରକାଶ ଶୁକ୍ଲା କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ମନମୋହନ ସିଂଙ୍କ ବିରୋଧରେ ଅଯଥା ବିବୃତ୍ତି ଦେଇ ବାରାକ ଓବାମା, ଭାରତୀୟ ନିର୍ବାଚନ ବ୍ୟବସ୍ଥାକୁ ଅବମାନନା କରିଛନ୍ତି ଏବଂ ନିର୍ବାଚନ ଆୟୋଗ ପରି ନିୟାମକ ସଂସ୍ଥା ସହ ଭାରତୀୟ ସମ୍ବିଧାନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଶୁକ୍ଲା କହିଛନ୍ତି, ମନମୋହନ ସିଂ ଏବଂ ରାହୁଲ ଗାନ୍ଧୀଙ୍କ ବିଷୟରେ ଓବାମା ଯାହା କହିଛନ୍ତି ତାହା ଅପମାନଜନକ ଏବଂ ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ । ରାହୁଲ୍ ଓ ମନମୋହନଙ୍କୁ ନେଇ ଓବାମାଙ୍କ ଟିପ୍ପଣୀରେ ଏହି ଦୁଇ ନେତାଙ୍କ ସମର୍ଥକମାନେ ମର୍ମାହତ ହୋଇଛନ୍ତି । ଯଦି ସେମାନେ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇ ଆସନ୍ତି, ତେବେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ । ତେଣୁ ଓବାମାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯିବା ଉଚିତ୍। ଓବାମାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଶୁକ୍ଲା ଦାବି କରିଛନ୍ତି । ନଚେତ୍ ସେ ଆମେରିକାର ଦୂତାବାସ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିଜଡ୍ ଲ୍ୟାଣ୍ଡ୍’ ରେ ବିଶ୍ବର ଅନେକ ନେତାଙ୍କ ସହ ତାଙ୍କର ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏହି ପୁସ୍ତକ ଭାରତରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରରେ ରହିଛି । କାରଣ ଏହି ପୁସ୍ତକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ କେତେକଙ୍କ ବିଷୟରେ ଉଲ୍ଲେଖ କରାଯାଇଛି।

Comments are closed.