ନର୍ଥ କୋରିଆର କଠୋର ଏକଛତ୍ରବାଦୀ ଶାସକଙ୍କ ଆଖିରେ ଲୁହ !

ସିଓଲ- ନିଜର କ୍ରୁରତା, କଠୋରତା ଓ ଏକଛତ୍ରବାଦୀ ସ୍ୱଭାବ ପାଇଁ ପରିଚିତ ନର୍ଥ କୋରିଆର ଶାସକ କିମ ଜଙ୍ଗ୍ ଉନ୍ କେବେ ବି ଭାବପ୍ରବଣ ହେବା କେହି ଦେଖିନାହାନ୍ତି । କିନ୍ତୁ ବୋଧହୁଏ ସର୍ବସାଧାରଣରେ ସେ ପ୍ରଥମ ଥର ପାଇଁ ଭାବବିହ୍ୱଳ ହୋଇ ଲୁହ ଛଳ ଛଳ ଆଖିରେ ଦେଶର ଜନତାଙ୍କୁ ନିଜର ବିଫଳତା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏକ ସାମରିକ ପରେଡରେ ଭାଷଣ ଦେଲା ବେଳେ ନର୍ଥ କୋରିଆର ଏକଛତ୍ରବାଦୀ ରାଷ୍ଟ୍ରପତି ଭାବୁକ ହୋଇଯାଇଥିଲେ । ଦେଶ ପାଇଁ ବଳିଦାନ ଦେଇଥିବା ସୈନ୍ୟମାନଙ୍କୁ ସେ ମନେ ପକାଇବା ସହ ସେମାନଙ୍କ ପରିବାରକୁ ଧନ୍ୟବାଦ ଜଣାଇଥିଲେ । ଏଥିସହ ଦେଶର ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଫଳ ହୋଇଥିବାରୁ ସେ ନାଗରିକଙ୍କୁ କ୍ଷମା ମାଗିଛନ୍ତି । ନର୍ଥ କୋରିଆର ସରକାରୀ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହୋଇଥିଲା କିମ ଜଙ୍ଗ ଉନଙ୍କ ସଂପାଦିତ ଭିଡିଓ ଫୁଟେଜ । ସେ ଭାଷଣ ଦେଉଥିବା ବେଳେ ତାଙ୍କ ଆଖିରେ ଲୁହ ଆସିଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା । ତେବେ ସମାଲୋଚକମାନେ ଏହାକୁ କିମଙ୍କ ପବ୍ଲିସିଟି ଷ୍ଟଂଟ୍ ବୋଲି କହିଛନ୍ତି ।

Comments are closed.