କଟକଣା ଆଣି ଦେଇଥିଲା ସୁଯୋଗ

ବ୍ରହ୍ମପୁର: ଗୋଟିଏ ପଟେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାର କିଛି କଟକଣା ଜାରି କରିଛନ୍ତି । ତେବେ ଜୀବନ ବନାମ ଜୀବିକା ସଂଘର୍ଷରେ ଅନେକ ଏଭଳି କଟକଣାକୁ ନେଇ ଆଶଙ୍କାରେ ଯେ ପୁଣି ଲକଡାଉନ୍, ସଟଡାଉନ୍ ଫେରିବନି ତ । କିନ୍ତୁ ଏଭଳି ସମୟ ବି ଜୀବନରେ କିଛି ନୂଆ କରି ଦେଖାଇବାର ସୁଯୋଗ ମଧ୍ୟ ଆଣିଦେଇପାରେ ତାହା ପ୍ରମାଣିତ କରିଛନ୍ତି ବ୍ରହ୍ମପୁର ନିକଟ ଲୋଚାପଡ଼ାର ଉଦ୍ୟାନ କୃଷକ ପ୍ରଶାନ୍ତ କୁମାର ମୁନୀ । ଗତବର୍ଷ ଯେତେବେଳେ ଲକଡାଉନ୍, ସଟଡାଉନ୍ ଜାରି ହୋଇଥିଲା, କରୋନା ବିପର୍ଯ୍ୟୟ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇଥିଲା ସେତେବେଳେ ସେ ନିଜ ଘର ଛାତ ଉପରେ ଓ ଘର ପାଚେରୀ ମଧ୍ୟରେ ଜମିରେ ଉଦ୍ୟାନ କୃଷି ଆରମ୍ଭ କରିଥିଲେ। ଏବେ ତାଙ୍କ ଘରର ଦୈନନ୍ଦିନ ପନିପରିବା ଆବଶ୍ୟକତା ଏହି ଉଦ୍ୟାନରୁ ମେଣ୍ଟିଯାଉଛି । ତା ସହ ବଜାରରୁ ସାର, କୀଟନାଶକ ପ୍ରୟୋଗ କରାଯାଇଥିବା ପନିପରିବା କିଣି ଆଣିବା ଅପେକ୍ଷା ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଇଥିବା ସ୍ବାସ୍ଥ୍ୟପ୍ରଦ ପରିବା ଖାଇ ସେମାନେ ଏକ ସୁସ୍ଥ ଜୀବନଯାପନ କରୁଛନ୍ତି। ଅନ୍ୟମାନଙ୍କୁ ମଧ୍ୟ ଜୈବିକ କୃଷି ଦିଗରେ ପ୍ରେରଣା ଯୋଗାଉଛନ୍ତି ପ୍ରଶାନ୍ତ ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦେବୀ ।

ପ୍ରଶାନ୍ତଙ୍କ ରହିଛି ୩୦ ଫୁଟକୁ ୬୦ ଫୁଟ ଘର । ଘର ପାଚେରୀ ମଧ୍ୟରେ ୩୦ ଫୁଟ ଜମିରେ ସେ କିଛି ଫସଲ ଲଗାଇଥିଲେ । ତେବେ ପାଖରେ ଅନ୍ୟ ଉଚ୍ଚା ଘର ତିଆରି ହେବାରୁ ଅଞ୍ଚଳଟି ଛାଇ ହୋଇଗଲା । ପୁଣି ଗତବର୍ଷ ମାର୍ଚ୍ଚ ମାସ ବେଳକୁ ଆରମ୍ଭ ହୋଇଗଲା ଲକଡାଉନ୍। ବାହାରକୁ ଯିବା ଅପେକ୍ଷା ନିଜ ଘର ଛାତ ଉପରେ ଉଦ୍ୟାନ କୃଷି ଆରମ୍ଭ କରିବାକୁ ଚିନ୍ତା କରିଥିଲେ ମୁନୀ ଦମ୍ପତି । ଘର ତଳେ ଓ ଛାତ ଉପରେ ଲଗାଇଲେ କଲରା, ବାଇଗଣ, ଭେଣ୍ଡି, ଲଙ୍କା, ଟମାଟ, ଲାଉ, ଜହ୍ନି, କାକୁଡି, ବୋଇତାଳୁ, ପୋଟଳ ଆଦି ପରିବା ସାଙ୍ଗକୁ କଦଳୀ, ପିଜୁଳି, ବରକୋଳି, ଆମ୍ବ, ସାପଟା, ନଡିଆ ଭଳି ଫଳ ଗଛ । ପୁଣି ମୁନିକା, ଖୋସଡା, ପାଳଙ୍ଗ, ଲେଉଟିଆ ଆଦି ଶାଗ ସାଙ୍ଗକୁ ଘି କୁଆଁରୀ ଏବଂ ଧନିଆ, ପୁଦିନା ପତ୍ର ମଧ୍ୟ ଲାଗିଛି। ଆହୁରି ବି ତାଙ୍କ ଉଦ୍ୟାନରେ ଶୋଭା ପାଉଛି କେତେକ ଫୁଲ ଗଛ ସାଙ୍ଗକୁ ଅର୍ଣ୍ଣାମେଣ୍ଟାଲ ଗଛ। ପୁରୁଣା, ଅବ୍ୟବହୃତ ଡ୍ରମରେ ଗଛ ଲଗାଇଲେ, ଘର ଉପର ଟାଙ୍କିରୁ ପାଣି ଦେଲେ, ଗଛ ଡାଳ ଓ ପରିବା ଚୋପା ଆଦିରୁ ଜିଆ ଖତ ବାହାର କରି ଗଛରେ ଦେଲେ। ଆଉ ତାହାର ଫଳ ଏୟା ଯେ ଏବେ ସେମାନଙ୍କ ଉଦ୍ୟାନ କୃଷି ଚାରିଆଡ଼େ ନାଁ କଲାଣି।

ପ୍ରଶାନ୍ତ ଓ ସନ୍ଧ୍ୟା କୁହନ୍ତି ଆମେ ନିଜେ କୃଷକ ନୋହୁଁ । କିନ୍ତୁ ଏଥିପାଇଁ ଚାଷବାସ ପାଠ ପଢ଼ିବା ବି ନିହାତି ଜରୁରୀ ନଥିଲା । ସହଜ ଜ୍ଞାନ ବଳରେ ଆମେ ଫସଲ ଲଗାଇ ଯତ୍ନ ନେଉଛୁ । ୟୁ – ଟ୍ୟୁବ୍ ଦେଖିବା ସହ କୃଷି ବୈଜ୍ଞାନିକଙ୍କ ଠାରୁ ପରାମର୍ଶ ନେଇ ଉଦ୍ୟାନ କୃଷିକୁ ହୃଷ୍ଟପୁଷ୍ଟ କରିବାରେ ଲାଗିଛନ୍ତି ଦୁହେଁ । ଘର ଉପରେ ୩୦ ଫୁଟକୁ ୩୦ ଫୁଟ ଓ ୩୦କୁ ୨୦ ଫୁଟ ଦୁଇଟି ଛାତରେ ସେମାନେ ଏତେ ସବୁ ପନିପରିବା, ଫଳ, ଫୁଲ ଉତ୍ପନ୍ନ କରୁଛନ୍ତି । ୨୦୧୯ରେ ଘରେ ଚାଷ କାର୍ଯ୍ୟ ପାଇଁ ସେମାନେ ପାଇଥିଲେ ପ୍ରକୃତି ମିତ୍ର ପୁରସ୍କାର । ବଜାର ଉପରେ ନିର୍ଭରଶୀଳ ନହୋଇ ନିଜସ୍ୱ ଉଦ୍ୟମରେ ନିଜ ପାଇଁ ଜୈବିକ ଓ ସ୍ୱାସ୍ଥ୍ୟ ଅନୁକୂଳ ଖାଦ୍ୟ ଉତ୍ପାଦନ କରି ପ୍ରଶାନ୍ତ ଓ ସନ୍ଧ୍ୟା ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ- ରାଜ୍ୟ ସରକାରଙ୍କ କୃଷି ଉଦ୍ୟାନ, ପଶୁପାଳନ, ଜୀବିକା ମିଶନ୍ ଆଦି ବିଭାଗ ସହାୟତାରେ ୨୦୧୨ ମସିହାରୁ ସେମାନେ ଏକ ଖାଦ୍ୟ ତାଲିମ କେନ୍ଦ୍ର ଚଳାଇ ଆସୁଛନ୍ତି । ଏଯାବତ ୧୬ଟି ଜିଲ୍ଲାର ୧୨ ହଜାରରୁ ଅଧୁକ ଚାଷୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଏଠାରୁ ପ୍ରଶିକ୍ଷଣ ଗ୍ରହଣ କରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି।

Comments are closed.