କୋରୋନା ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର, କାର୍ଯ୍ୟକ୍ଷମ ହେବ ଭକ୍ତି ନିବାସ କୋଭିଡ କେୟାର ସେଂଟର, ସବୁ ବେଡ୍‌ରେ ରହିବ ଅକ୍ସିଜେନ

ପୁରୀ – କୋରୋନା ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇ ଉଠିଛି । ଭକ୍ତି ନିବାସରେ କୋଭିଡ କେୟାର ସେଂଟର ଆରମ୍ଭ କରାଯିବ । ଯେଉଁ ଭକ୍ତମାନେ କୋଭିଡ ପଜିଟିଭ ଚିହ୍ନଟ ହେବେ, ସେମାନଙ୍କୁ ଏଠାରେ ଚିକିତ୍ସା କରାଯିବ । ଏହି କୋଭିଡ କେୟାର ସେଂଟରର ଚିକିତ୍ସା ପାଇଁ ଅକ୍ସିଜେନ୍ ବେଡ୍ ସହ ସବୁ ପ୍ରକାର ସୁବିଧା ସୁଯୋଗ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି । ଏ ନେଇ ଏକ ସମୀକ୍ଷା ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଯେ, ଭକ୍ତି ନିବାସ କୋଭିଡ କେୟାର ସେଂଟରରେ ଏକ ଆମ୍ବୁଲାନସ ମଧ୍ୟ ରହିବ । ରେଫରାଲ୍ ଆଧାରରେ ଗୁରୁତର ରୋଗୀଙ୍କୁ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇପାରିବ ।

ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ଟିକାକରଣ ତ୍ୱରାନ୍ୱିତ କରାଯାଉଛି । ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ସେବାୟତ ଓ ସେମାନଙ୍କ ପରିବାରର ସଦସ୍ୟଙ୍କୁ ଟିକା ଦିଆଯିବ । ମେ ମାସରୁ ରଥକାମ ଆରମ୍ଭ ହେଉଥିବାରୁ ରଥ ମହାରଣା, ଭୋଇ ଓ ଚିତ୍ରକାରମାନଙ୍କର ଟିକାକରଣ କରାଯିବ । ସେମାନଙ୍କୁ ଔଷଧ ମଧ୍ୟ ଦିଆଯିବ ।

Comments are closed.